ବାଙ୍ଗିରୀ କାଖରୁ ଖସିପଡ଼ିଚି ମେଘର ମାଠିଆ
ପକ୍ଷୀଯୂଥଙ୍କ ଶୋଭାଯାତ୍ରାରେ
ସବୁଜ ରଙ୍ଗର କୋରସ ।
ପାଚିଲା ସୂର୍ଯ୍ୟକିରଣ ଦେହରେ ବୋଳି
ଫେରି ଆସୁଚନ୍ତି ଦଳଦଳ ଲୋକ
ଡଙ୍ଗରକୁ ।
ହାତୀ ଖାଇଗଲାଣି ପାଚିଲା ଧାନ
ଭାଲୁ ଖାଇଯିବ କୂଢ଼ ମହୁଲ
ପୁଅକୁ ସନ୍ନିପାତ ଜର
ମା’ ଦୁଆରଶୁଣୀ ତୁ ଭରସା
ଏଇ ଘାଟୀରୁ ବହୁଦୂର ଗୋପପୁର ।
ସୂର୍ଯ୍ୟ ଖସି ପଡିଲେଣି ପାହାଡ଼ ଖୋଲକୁ
ମୟୂରମାନେ ଓଦାଲୁଗା ପିନ୍ଧି ନାଚିଲେଣି
ପତ୍ରଗହଳରେ ।
ବାଘ ପିଠିରେ ନାଉ ହୋଇ ଫେରୁଚି ଜହ୍ନରାତି
ସ୍କୁଲରୁ ଫେରୁଥିବା ଗୋଲାପୀ ଦିଦିଙ୍କ ଗାଲରେ
ଗାରେଇ ହେଲାଣି ଏ ଦୁଷ୍ଟ ଜହ୍ନ
ଦିଦି ଫେରିବା ବାଟ ଭୁଲି
ନିଆଁ ପୁଇଁଲେଣି ଧାଙ୍ଗଡୀ ଗାଆଁରେ ।
କୋଳରେ ଛୁଆ ଖୋସି
ମୂଲରୁ ଫେରୁଥିବା ତିର୍ଲାଲୋକ କ’ଣ ଜାଣେ
ଖାଦ୍ୟ ସୁରକ୍ଷା ବିଲ୍ କଥା
ବି.ପି.ଏଲ୍ ଜାତକ ନାହିଁ ବୋଲି
ତା’ ଧାଙ୍ଗଡ଼ା ଧରିଛି ଧନୁତୀର
ବୋମା ଓ ବନ୍ଧୁକ ।
ତିର୍ଲାଲୋକ କ’ଣ ଜାଣେ
ଗତସନ ଆମେ ଦଳିତ, ବଣମଣିଷ
ମେଳି କରିଥିବା ମର୍ଦଟା ଥିଲା
ଗୋଟାଏ ରକ୍ତଖିଆ ବାଘ ।
କହି ହେବୁ ପରା ଦିଲୀପ ସ୍ୱାଇଁ
ଦେଖିବୁ ଆ’
ସବୁଜ ଶୃଙ୍ଗମୟ ଘୁମନ୍ତ ପାହାଡ଼ ସବୁ
ପ୍ରେମିକା ପରି ଡାକି ନେବେ ନୀଳ ଅନ୍ଧାରକୁ
ଘାଟିତଳ ଶାଳପତ୍ରର ଦୋଳିରେ
କୁନି କୁନି ପ୍ରଜାପତିଙ୍କ ଏନ୍ତୁଡ଼ି
ଏ ଜଙ୍ଗଲର ଓଠ ପଲାଶଫୁଲ ପରି ।
ଚାରୁଶିଳେ !
ତୁମ ଉଲଗ୍ନ ରତିଠାରୁ ଆହୁରି ଅଶ୍ଳୀଳ ଏ ଜଙ୍ଗଲ
ଦୁଇ ପାହାଡ଼ ମଝିରେ ସୂର୍ଯ୍ୟଙ୍କ ପାଦଚଲା ରାସ୍ତା
ତୁମ ସ୍ତନଦ୍ବୟର ସମତଳ ସୀମାରେଖା ଠାରୁ
ଅଧିକ ଉତ୍ତପ୍ତ
ତୁମ ଚିବୁକ, ଚୁମ୍ବନ, ଚିତ୍ରସ୍ତନଠାରୁ
ଆହୁରି ଉଷୁମ ଏ ଉପବନ ।
ମଦନିକେ !
ତୁମ ମେଘୁଆ ଦେହର ଦୋହା
ଦେଇପାରିବନି ମୋତେ
ହାଣ୍ଡିଆ ବିକୁଥିବା ତିର୍ଲାର ଉଷ୍ମତା ।
ମୋ କବିତା ଖାତା ହଜିଗଲା
ଘାଟିତଳ ଲଙ୍ଗଳା ପିଲାଙ୍କ ମେଳରେ
ସାପ କାମୁଡ଼ାରେ ମରିଥିବା ତା’ ବାପା
ଶାଳପତ୍ର ତୋଳି ଯାଇଥିବା ମା’ କଥା
ମୁଁ କ’ଣ ଲେଖିବି କବିତାରେ ?
ମୁଁ ଆଉ କେମିତି ଯିବି ବାରିପଦା
ସେହି ଲଙ୍ଗଳା ପିଲାଟି
ଲୁଚାଇ ଦେଇଚି ମୋ କବିତା ଖାତା ।
ଶାଳପତ୍ର ତୋଳି ତା’ ମା’ ଫେରୁ
ଦେଖିବା କଣ ହେଉଛି ।