ବୋଉ, ତୁ. . .
ଚାଲିଗଲୁ ଅଚାନକ
ହୁଗୁଳା ଡେମ୍ଫରୁ
ସକାଳର ଗଙ୍ଗଶିଉଳି
ଝଡ଼ିଯିବା ପରି
ଟିକିପିଲାର
ଆଞ୍ଜୁଳି ଫାଙ୍କରୁ ଦାଣ୍ଡଧୂଳି
ଖସିଯିବା ପରି,
ଆମକୁ ପର କରି, ମୋତେ ଏକା କରି
ସବୁଦିନ ପାଇଁ ।
ଶୁଭୁ ନାହିଁ ଆଉ ଘର ଅଗଣାରେ,
ଦାଣ୍ଡ ଦୁଆରରେ, ବାଡ଼ିପଟ
ବସାଘରଟାରେ ବୋଉ, . . . ବୋଉ ଡାକ !
ତୋ ବିନୁ ଭରାନଈରେ
ବୋଝେଇ ଡଙ୍ଗାଟା ବୁଡ଼ିଗଲା ପରି
ଡୁବିଗଲା, ଆମ ସୁଖଦୁଃଖର ସଂସାର
ଶୁଖିଗଲା ସ୍ନେହ, ମମତା ଆଉ
ଆଶା, ଭରସାର ମହାପାରବାର !
ଭାଙ୍ଗିଗଲା ଦମ୍ଭ, ଧୈର୍ଯ୍ୟ, ସାହସ
ଆଉ ଅହଂକାରର ସବୁତକ ବାଡ଼ବନ୍ଧ
କାହିଁ ଅପସରି ଗଲା, ମୋ ଦେହର
ପ୍ରତିଟି କୋଷର ମାଇଟୋକଣ୍ଡ୍ରିଆରୁ
ତୋ ମାତୃତ୍ୱର ଶତସିଂହବଳ
ପାରୁନାହିଁ ଯୁଝି ଆଉ. . .
ତୋ ବିନୁ ଏ ସ୍ୱାର୍ଥପର ଦୁନିଆଁରେ
ସବୁ ଖାଲି ପର ଆଉ ସାତପର
ଜଣେ ନାହିଁ କେହି ତୋପରି
ଏକାନ୍ତ ନିଜର ! !