ଜକମକ କରୁଥିବା ସେ ପୂଜା ବଜାରେ
ପଡ଼ିଲା ନଜର ମୋ ବୁଢ଼ା ଦାଦି ଠାରେ,
ପତ୍ର ଠୋଲା ଆଉ ଘୁଗୁନି ବେପାରେ
ନ ଯୁଟନ୍ତି ଗ୍ରାହକ ଲୁହ ବହେ ଧାରେ ।
ଝିପି ଝିପି ବର୍ଷା ସାଥେ ଭିଜୁଥିଲା ସେଇ
ନୂଆ ଛତା କିଣିବାକୁ ପଇସା ଯେ ନାହିଁ,
କୁଟୁମ୍ବ ଯେ ଅପେକ୍ଷାରେ ଅଛନ୍ତି ଅନାଇ
କେମିତି କହିବ ସିଏ ବେପାର ହୋଇ ନାହିଁ ?
ଥିବ କେଉଁ ପରିସ୍ଥିତ ଅବା କେଉଁ ରୋଗ
ଚମ ଧୁଡୁ ଧୁଡୁ ଦିଶେ ଦେହ ସାରା ଦାଗ,
ପିନ୍ଧି ଦେଇ କୋତରା ଜାମା ଖଣ୍ଡେ ଆଗ
ଧାଏଁ ପରିବାର ମୁହେଁ ଦେବ ଟିକେ ଶାଗ ।
ଡହଳ ବିକଳେ ଚାହେଁ କାଳେ କେ ଆସଇ
ମୁହଁରେ ଦାନା ଟିକେ ପାଆନ୍ତା ତା ପାଇଁ,
ବଡବଡିଆଙ୍କ ଗାଡ଼ି ଅଟକିବ ସେଠି କାଇଁ?
ମାନ ଇଜ୍ଜତ ଯିବ ପଡ଼ି ଠିଆ ହେଲେ ଯାଇ ।
ଚହଟିଆ ଲୋକଙ୍କୁ ସେ କି ଅବା ଦିଶଇ?
ଧନ ତାଙ୍କ ଅଛି ଜମା ହୋଟେଲର ପାଇଁ,
ଗୁହାରି ଶୁଣ ମୋର ହେ ବିଶ୍ବ ଗୋସାଇଁ
ଚକ୍ଷୁ ନ ଦେଖୁ ଏ ଦୁଃଖ ଆଉ କାହିଁ ।
