କବିତା

କ୍ୟାଣ୍ଟନ୍‌ମେଣ୍ଟ୍‌ରେ ବର୍ଷା

Matrudatta Mohanty's odia poem Cantonmentre Barshaa

ଜମା ହୁଏ ପାକଲା ପତର,
ବର୍ଷା ଛିଟା ଖୋଲିଦିଏ
ତା’ ଛାତି ତଳେ ଲୁଚିଥିବା
ବାରବାଟୀ ଦୁର୍ଗର ହଜିଲା ପଥର,

କ୍ୟାଣ୍ଟନ୍‌ମେଣ୍ଟ୍‌ରେ ବର୍ଷା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ନିର୍ଜନ ରାତିରେ ବର୍ଷା ହେଲେ
ମୋ ଛାତି ଥରେ
ମନ କାନ୍ଦେ ବାହୁନି ବାହୁନି,
କ୍ୟାଣ୍ଟନ୍‌ମେଣ୍ଟ୍‌ ରୋଡ୍ ଭିଜିଲେ ବର୍ଷାରେ
ମୋ ଛାତି ଭିଜେ ମୋ ଆଖି ଲୁହରେ
ତା’ ଦୁଃଖ ଜମା ସହି ତ ହୁଏନି ।

କ୍ୟାଣ୍ଟନ୍‌ମେଣ୍ଟ୍‌ ରୋଡ୍‌ର ଛାତିସାରା
ପରାଜିତ ସୈନିକ ପରି
ମୁଣ୍ଡପୋତି ଛିଡ଼ା ହୋଇଥିବା ପାଟଳି ଗଛ ତଳେ
ଜମା ହୁଏ ପାକଲା ପତର,
ବର୍ଷା ଛିଟା ଖୋଲିଦିଏ
ତା’ ଛାତି ତଳେ ଲୁଚିଥିବା
ବାରବାଟୀ ଦୁର୍ଗର ହଜିଲା ପଥର,
ମୁଁ ଖୋଜେ ପୋଷ୍ଟାଲ୍ କଲୋନୀ ଆଗରେ
ଖୁଣ୍ଟପରି ଛିଡ଼ା ହୋଇଥିବା
ପୋଷ୍ଟବାକ୍ସ ଭିତରେ
କାଳେ ଭିଜୁଛି କି ମୋ ପାଇଁ ଲେଖାଥିବା
ମୋ ପ୍ରୀୟାର ପ୍ରଣୟ ପତର ।

କ୍ୟାଣ୍ଟନ୍‌ମେଣ୍ଟ୍‌ ରୋଡ୍‌ର ଦୁଇ ବାହୁ ଧରି
ମୁହାଁ ମୁହିଁ ଅଣ୍ଟା ସଳଖି ଥିବା
ବ୍ରିଟିଶ୍ ବେଳର ନାଲି ରଙ୍ଗ ମଖା କୋଠାରେ
ବର୍ଷା ମାଡ଼ ହୁଏ,
ବର୍ଷା ମାଡ଼ ହୁଏ ମଧୁବାବୁଙ୍କ ପଥର ଦେହରେ,
ଆକାଶବାଣୀର ଲୁହା ଖୁଣ୍ଟ ଅଟ୍ଟହାସ୍ୟ କରେ
ଫେରିଯାଅ ଫେରିଯାଅ ପ୍ରେମିକପ୍ରବର
ବର୍ଷା ହେଲେ ତୁମ ପ୍ରୀୟା ଆଉ ଆସୁନି
ଥାପିବାକୁ ପାଦ
କ୍ୟାଣ୍ଟନ୍‌ମେଣ୍ଟ୍‌ ରୋଡ୍‌ର କଳା ମଚ ମଚ ଛାତିରେ ।
ତଥାପି ମୁଁ ପ୍ରତୀକ୍ଷାର ଦିହୁଡ଼ି ଜାଳୁଛି ପ୍ରତିଥର
ଏଇମିତି ବରଷା ରାତିରେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top