ଡ଼ବା ପଛପଟେ କୁଟୁରୁ କାଟୁରୁ,
ଖଟତଳେ ଲୁଚି କରେ ଖୁସୁରା ଖାସୁରୁ,
ଢାଙ୍କୁଣୀ ଓଲଟି ପଡ଼େ ଧଡ଼ାକ, ତଡ଼ାକ,
ରୋଷେଇ ଘରେ କଲେ ସେ ଫୁସୁର ଫାସୁରୁ ।
ନଜର ପଡ଼ିଗଲେ ଚିକ୍କଣିଆ ପରିବାଟିଏ,
କେତେ କାରୁକାର୍ଯ୍ୟ ତା ଦେହେ ତୋଳିଦିଏ,
କୁନି କୁନି ସରୁ ସରୁ ଦାନ୍ତରେ ତାହାର,
ଅଲିଅଳି ଦରବକୁ କାଟିକୁଟି ସର୍ବନାଶ କରେ ସିଏ ।
କାଗଜ, କପଡ଼ା , ତୁଳା ତା’ ମନକୁ ପାଏ,
ସନ୍ଦି, କନ୍ଦି, ଅସନା ଟିକକ ଖୋଜୁଥାଏ,
ଦୃଷ୍ଟି ଆଢୁଆଳେ ଛୋଟିଏ ଜାଗାଟେ ଲୋଡ଼ା,
ଅନ୍ଧାର ଖେଳିବା ଯାଏଁ ସେ ଜଗି ବସିଥାଏ ।
ଧରିବା, ମାରିବା ନୁହଁତ ସହଜ କଥା
ଡିଆଁ ମାରି ପଳାଏ ଦେଇଣ ବ୍ୟଥା,
ଚୁଟିଆ ମୂଷା ସେ କାମ ତାର ବିରାଟ,
ଛଟର ପଟର କରାଏ, ବଢ଼ାଏ ମୁଣ୍ଡ ବିନ୍ଧା ଅଯଥା ।