ମୋ ଜୀବନ ଏବେ ଏକ ଅସମାହିତ ପ୍ରଶ୍ନବାଚୀ
ଯେଉଁଥିରେ ଉତ୍ତର ଏକ ଅଡୁଆ ସୂତା,
ପିଲାବେଳେ ବିତିଲା ମୋର ବହିର ଅସୁମାରୀ
ଶବ୍ଦ ସନ୍ଧାନରେ !
ନା ଜାଣିଲି ଛଳ ନା କପଟ
ସେଥିପାଇଁ ବୋଧେ ଆଜି ମୁଁ ମୋ
ପ୍ରଶ୍ନର ଉତ୍ତର ଖୋଜୁଛି ଅନ୍ୟପାଖରେ ।
ଯେଉଁ ଦୂର୍ବାର ଆଶା ନେଇ
ଆଗେଇ ଚାଲିଥିଲି ସମସ୍ତ ଯାତନାକୁ ସହି,
ମଉଳି ଗଲାଣି ସେ ମଉଳିନି ଫୁଲର ବାସ୍ନା
ଝଡ଼ର ପରଶେ ଦୂର୍ବାର ପ୍ରାଚୀର ଗଲାଣି ଭାଙ୍ଗି ।
ମୋ ପାଇଁ ଯେଉଁ ମରୁରେ
ଆଶାର କଳକଳ ନିର୍ଝରିଣୀ
ଯାଉଥିଲା ବୋହି
ସେଠି ଖାଲି ଶୁଷ୍କ ମରୁବାଲି
ଶୁଷ୍କ ପୁଣି ଆର୍ଦ୍ର କଣ୍ଠ
ଆଉ କିଛି ଶବ୍ଦ ବି ଗଲାଣି ହଜି ।
ହସ ହସ ମୁହଁମାନ ଆଜି ମୋତେ
ଉପହାସ କରି କରୁଛନ୍ତି ଅଟ୍ଟହାସ୍ୟ ।
ନିରବ-ନିଷ୍ପ୍ରଭ ଆଜି ଉଚ୍ଛ୍ୱାସର ଗନ୍ତାଘରେ
ଚକ୍ମକ୍ କରୁଥିବା ଆଶାର କଳିକାମାନ ଆଜି ମ୍ଳାନ ।
ନିରୁତା ସ୍ୱପ୍ନକୁ ନେଇ ପଲକ ପଲକ ଚାହିଁ
ଗଢ଼ିଥିଲି ଏକ ସୁଉଚ୍ଚ ଇମାରତ୍ ।
ଆଜି ସେଠି ତାତ୍ସଲ୍ୟର ଜୀଅନ୍ତା ମୁଣ୍ଡହୀନ
ଶବମାନଙ୍କର ଶୁଭେ ବିକଟାଳ ରଡ଼ି,
ଖୁନ୍ଦାଖୁନ୍ଦି ଅସରନ୍ତି ଘାସ ଫୁଲରେ
ଚିକ୍ମିକ୍ କରୁଥିବା କାକର ବିନ୍ଦୁ ବି
ପାଲଟିଛି ମୋ ପାଇଁ ଧାରାଶ୍ରାବଣ ।
କିନ୍ତୁ ଚିରସବୁଜମୟ ସେଇ
ମୋର ଅଧ୍ୟୟନ କକ୍ଷ,
ଇଚ୍ଛାହୁଏ ପାଶୋରି ଯ’ନ୍ତି ସେଠି ମୋର ସବୁ ଦୁଃଖ
ଆଉ ତୁଟାଇ ଦିଅନ୍ତି ମୋର ଜଞ୍ଜାଳର ଜଞ୍ଜିର !
ପାଲଟି ଯା’ନ୍ତି ନିରବ କବି କିମ୍ୱା ଲେଖିକାଟିଏ
ଲେଖନୀ ମୁନରେ କାଗଜପରେ
ପାରିଦ୍ୟନ୍ତି କେତେକେତେ କବିତା ଆଉ ଗଳ୍ପ !
ବାତାୟନ ପାସେ ଅଶ୍ରୁମୋଚନ କରି ସିଞ୍ଚି ଯା’ନ୍ତି
ଶୁଷ୍କ ଭୂଇଁ ପରେ,
ଜୀବନ୍ୟାସ ପାଇ ଅଙ୍କୁରିତ ହୋଇ ଫୁଟି ଉଠନ୍ତେ
କ୍ଷୁଦ୍ରକ୍ଷୁଦ୍ର ଆଶାର ବୀଜମାନ,
ମୋ ମନର କବିତ୍ୱର ଭାବନା ସବୁ
ଅଳଙ୍କୃତ ହୋଇ ଫୁଟି ଉଠନ୍ତେ
ସେଇ ବୃକ୍ଷର ବୃନ୍ତରେ
ଆହା ! କି ସୁନ୍ଦର ଦେଖା ନ ଯା’ନ୍ତା ସତେ !
ଛନ୍ଦି ହୋଇ ରହିଥିବା ପ୍ରଶ୍ନସବୁ
ଶାଖା ପ୍ରଶାଖା ମେଲି ପାଲଟିଯା’ନ୍ତେ କଅଁଳ ପତ୍ରରେ
ଗୋଟିକ ପରେ ଗୋଟିଏ ପତ୍ରଝଡ଼ା ଦିଅନ୍ତେ ସେମାନେ,
ପରିଶେଷରେ ଥୁଣ୍ଟା ପ୍ରଶ୍ନହୀନ ଶୂନ୍ୟ
ମନରେ ରୂପାୟିତ ହୋଇଯା’ନ୍ତି ମୁଁ !

Hrushikesh1994
October 7, 2017 at 8:22 pm
Nice poem
Kulu
September 20, 2017 at 9:17 pm
I love it
Gagan
September 18, 2017 at 9:34 pm
Beautiful poem Kiran, beautiful