ତମ ହୃଦୟକୁ ମୋ ହୃଦୟ ସହିତ
ଯେଉଁ ପୋଲଟି ଯୋଡ଼ିଲା
ସେଥିରେ ବି ଥିଲା ଘୋଟାଲା !
ବିପର୍ଯ୍ୟୟ
ତୁମ ପ୍ରେମର ବନ୍ୟାରେ ବହିଯାଇ
ଯେବେ କୂଳରେ ଲାଗିଲି,
ମୁଁ ଆଉ ରିଲିଫ ନେବା ଅବସ୍ଥାରେ ନ ଥିଲି ।
ସମ୍ପର୍କ
ଅସରାଏ ବର୍ଷାରେ ଧୋଇ ହୋଇଗଲା ରାସ୍ତା ।
ଗାଁ ସଡ଼କ ଥିଲା ନା ହୃଦୟର ବାଟ
କିଛି ଜାଣି ହେଲାନି !
ଅକର୍ମଣ୍ୟ
ତମ ଆଖିରେ କଡ଼ ଲେଉଟାଉଥିବା ପ୍ରେମ
ମୋର ନିଦ ଖରାପ କରେ …
ମୋର ଅସହାୟତା ଦେଖି ଚିଡ଼ାଏ ଶ୍ରାବଣ ।
ଜୀବନ
ତମ ହୃଦୟରେ
ପୂର୍ଣ୍ଣିମା ରାତିରେ ଉଠିଥିବା ଜୁଆର
ପ୍ରତିପଦାକୁ ଧୋଇ ସାରିଥିଲା
ମୋ ହୃଦୟରୁ ବାଲିଘର !
ଦୂରତା
ସୂର୍ଯ୍ୟକୁ ଉଷ୍ମତା ମାଗିଲ ତ କ’ଣ ମାଗିଲ?
ଶୀତଳତା ମାଗି ଦେଖ ।
ସାଗରକୁ ଗଭୀରତା ମାଗିଲ ତ କ’ଣ ମାଗିଲ?
ନୀରବତା ମାଗି ଦେଖ ।
ପ୍ରେମିକକୁ ପ୍ରେମ ମାଗିଲ ତ କ’ଣ ମାଗିଲ?
ଦୂରତା ମାଗି ଦେଖ !
ଦୁର୍ଭାଗ୍ୟ
ଲେଖାଥିଲା ଚେତାବନୀଟିଏ
ଗୋଲାପ ନା ସିନ୍ଦୂର ରଙ୍ଗରେ,
ଦେଖିଲି ପାଦ ଖସିଗଲା ପରେ
ବର୍ଷା ଭିଜା ପିଚ୍ଛଳ ରାସ୍ତାରେ !
ବିପଦ
ମୋ ଆଖି ତମ ଆଖି ମିଶି
ଧରିଲେ ଯେଉଁ ରାହା
ଦୁର୍ଘଟଣା ଭରା ଥିଲା ତାହା !