ଏମିତି କାହାର ବହପ ଅଛି ?
ଯେ ଦୂର କରି ଦେଇପାରେ ନୃଶଂସତା
ପୋଛି ଦେଇପାରେ
ଧର୍ଷିତା, ଅପହୃତା ଆଉ ବଳାତ୍କାରିତାର
ଆଖିରୁ ତତଲା ଲୁହର ଧାର
ଅଭୟ ଦେଇପାରେ
ଶୋଷିତ, ଲାଞ୍ଛିତ ଆଉ
ନିର୍ଯାତିତଙ୍କ ଅସହାୟତାକୁ,
ପ୍ରଶମିତ କରିଦେଇପାରେ
ହିଂସା, ପ୍ରତିହିଂସା ଆଉ ଅପରାଧ ପ୍ରବଣତାକୁ ।
ପହିଲି ବର୍ଷାରେ
ପଲ୍ଲବିତ ହେଲା ପରି ଗଛବୃଚ୍ଛ
ମନ-ପ୍ରାଣ-ହୃଦୟରେ
ଖେଳାଇ ଦେଇପାରେ
ସ୍ନେହ-ପ୍ରେମ-ସମ୍ପ୍ରୀତି
ଆଉ ମାନବିକତାର ସମ୍ମୋହନୀ ମନ୍ତ୍ର
ଦସ୍ୟୁ ରତ୍ନାକରକୁ ବାଲ୍ମୀକି
ମୂର୍ଖ କାଳିଦାସକୁ ପଣ୍ଡିତ ଶ୍ରେଷ୍ଠ,
କରିଦେଇ ପାରିବାର
ଏମିତି କାହାର ବହପ ଅଛି ?
ମୋ ହୃଦୟର ଛାତିର ପଞ୍ଜରା ଚିରି
ବାରବାର ଗୋଟିଏ ଉତ୍ତର ହିଁ ବାହାରୁ ଥାଏ
କବିତାର. . .
କେବଳ ସେହି କବିତାର. . .
କିଏ ପଢୁ ବା ନ ପଢୁ
କିଏ ବୁଝୁ ବା ନ ବୁଝୁ
ମନ୍ତ୍ର ପରି କବିତାକୁ ଜପାମାଳି କରି
ଉତ୍ଫଣ ଅହଙ୍କାରର
ପ୍ରଳୟ ମଧ୍ୟକୁ ନିର୍ଭୟରେ
ଡେଇଁ ପଡ଼ିବାର ବହପ
ଏମିତି କାହାର ଅଛି ?
କାହାର. . . ଆଉ କାହାର. . . ?