ଏଠାରେ ଯେଉଁ ସମୟର ଘଟଣା ବିବୃତ ହେଉଅଛି ସେ ସମୟରେ ମଗଧ ସମ୍ରାଟ ଅଶୋକଙ୍କ ମୃତ୍ୟୁ ପରେ ପରେ ବିଶାଳ ମୌର୍ଯ୍ୟ-ସାମ୍ରାଜ୍ୟ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡୁଥିଲା । ନରହତ୍ୟା, ରକ୍ତପାତ ଓ ଆସୁରିକ ଶକ୍ତି ଉପରେ ଯେଉଁ ସାମ୍ରାଜ୍ୟ ଗଢ଼ା ହୋଇଥିଲା ତାହା ବା କେତେକାଳ ତିଷ୍ଠନ୍ତା । ମୌର୍ଯ୍ୟ-ସମ୍ରାଜ୍ୟରୁ ଗୋଟିକ ପରେ ଗୋଟିଏ ହୋଇ ବିଜିତ ରାଜ୍ୟ ସ୍ୱାଧୀନ ହୋଇଯାଉଥିଲା । ମୌର୍ଯ୍ୟବଂଶର ଶେଷ ରାଜା ବୃହଦ୍ରଥଙ୍କୁ ହତ୍ୟା କରି ସେନାପତି ପୁଷ୍ପମିତ୍ର ମଗଧ ସିଂହାସନରେ ଅଧିଷ୍ଠିତ ହୋଇଥିଲେ । ମଗଧ-ସାମ୍ରାଜ୍ୟର ଏ ଦୁର୍ଦ୍ଦିନର ସୁଯୋଗ ନେଇ, ଭାରତର ଉତ୍ତର-ପଶ୍ଚିମ ସୀମାନ୍ତଆଡୁ ଗ୍ରୀକ୍ ଆଣ୍ଟିଓକସ୍ ଭାରତ ଉପରେ ପୁଣି ଆକ୍ରମଣ ଆରମ୍ଭ କରିଦେଲେ । ବହୁକାଳ ପୂର୍ବେ ଆଲେକ୍ଜାଣ୍ଡାରଙ୍କ ସେନାପତି ସେଲ୍ୟୁକସ୍ ଉତ୍ତର-ଭାରତରେ ଗ୍ରୀକ୍ ସାମ୍ରାଜ୍ୟ ପ୍ରତିଷ୍ଠାର ସ୍ୱପ୍ନ ଦେଖିଥିଲେ । ମାତ୍ର ମୌର୍ଯ୍ୟ ଚନ୍ଦ୍ରଗୁପ୍ତଙ୍କ ଦ୍ୱାରା ପରାସ୍ତ ହୋଇ ଗ୍ରୀକ୍ ଶକ୍ତି ଭାରତରେ ସାମ୍ରାଜ୍ୟ ପ୍ରତିଷ୍ଠାର ଆଶା ହରାଇ ସାରିଥିଲେ । କିନ୍ତୁ ଅଶୋକଙ୍କ ମୃତ୍ୟୁ ପରେ ମଗଧର ଆଭ୍ୟନ୍ତରୀଣ ଦୁର୍ବଳତାର ସୁଯୋଗ ନେଇ ଗ୍ରୀକ୍ମାନେ ପୁଣି ଭାରତ ଅଧିକାର ପାଇଁ ଅଭିଯାନ ଆରମ୍ଭ କରିଦେଲେ ।
xxxxxx
ସେଦିନ କଳିଙ୍ଗ ନଗରର ଗଣସଭା-ଭବନ କଳିଙ୍କର ବହୁ ସାମନ୍ତ, ସେନାପତି ଓ ଜନନେତାଙ୍କ ଦ୍ୱାରା ପୂର୍ଣ୍ଣ ହୋଇ ଯାଇଥିଲା । କଳିଙ୍ଗ ନଗରର ଶ୍ରେଷ୍ଠୀ ଓ ବଣିକଙ୍କ ଠାରୁ ଆରମ୍ଭ କରି ସାଧାରଣ କୃଷକ ଓ ଶିଳ୍ପୀ ପର୍ଯ୍ୟନ୍ତ ସମସ୍ତେ ଗଣଭବନ ଚାରିକଡ଼େ ସମବେତ ହୋଇଥିଲେ । ମଗଧର ଦାସତ୍ୱରୁ କଳିଙ୍ଗ ପୁଣି କିପରି ସ୍ୱାଧୀନ ହେବ, ସେହି ଆଲୋଚନା ଦିନ ଦିନ ଧରି ଗଣସଭାରେ ଚାଲିଥିଲା ।
ଜଣେ ବୃଦ୍ଧ ସେନାପତି ଉଠି କହିଲେ- “ହେଇ ସେଦିନ ପରି ମନେପଡୁଛି ଆଜି ମୋତେ ଆସି ଅଶୀ ବର୍ଷ ହେଲା । ଅଶୋକ ଯେତେବେଳେ କଳିଙ୍ଗ ଯୁଦ୍ଧରେ ଆସିଥିଲେ, ସେତେବଳେ ମୋର ବୟସ ଥିଲା ପଚିଶ । ଏ ଦୟାନଦୀର ପାଣି ସେଦିନ କଳିଙ୍ଗୀ ପାଇକର ରକ୍ତରେ ନାଲି ହୋଇ ଉଠିଥିଲା । କଳିଙ୍ଗର ବୀର ପାଇକକୁଳ ସେହି ଲଢ଼େଇରେ ମରି ଶେଷ ହୋଇଥିଲେ । ତା’ପରେ ଏ ପଞ୍ଚାବନ ବର୍ଷ ପରାଧୀନତା ଭିତରେ କଳିଙ୍ଗର ଅଣ୍ଟା ଭାଙ୍ଗି ପଡ଼ିଛି । ମନରେ ବଳ ଅଛି, ହେଲେ ମଗଧକୁ ଜୟ କରିବା ପାଇଁ ମନବଳ ସାଙ୍ଗକୁ ଦେହ ବଳ କାହିଁ ?”
ଆଉ ଜଣେ ସେନାପତି ଉଠି କହିଲେ- “ମଗଧ ଜୟ ପାଇଁ ବାହାରିଛ ଯେ, ଏଣେ ତମ ଚାରିଆଡ଼େ ତ ଶତ୍ରୁ । ସମସ୍ତେ ଚାହିଁ ବସିଛନ୍ତି କଳିଙ୍ଗକୁ ଗ୍ରାସ କରିବା ପାଇଁ । ଦକ୍ଷିଣାପଥର ସାତବାହନ ସାତକର୍ଣ୍ଣୀ, କୃଷ୍ଣାକୂଳର ମୁଷିକ, ପୁଣି ବିନ୍ଧ୍ୟର ଅରଣ୍ୟ ଭିତରେ ରାଷ୍ଟ୍ରିକ ଓ ଭୋଜିକ ସମସ୍ତଙ୍କ ଆଖି କଳିଙ୍ଗ ଉପରେ । ତେଣେ ତମେ ପାଟଳୀପୁତ୍ରରେ ପହଞ୍ଚିଲା ବେଳକୁ, ଏଣେ ତମ ଚୁଲିଚାଳ ନଥିବ । ଏସବୁ କ’ଣ ପିଲାଖେଳ କଥା ହୋଇଛି ?”
ଏହାଙ୍କ କଥା ଓ କହିବା ଭଙ୍ଗୀରେ ଗଣ-ସଭା ଭବନ ସମବେତ ଜନତାର ଅଟ୍ଟାହାସ୍ୟରେ ଫାଟି ପଡ଼ିଲା ।
ଜଣେ ଯୁବକ ଗଣସଭା ଭବନରେ ଗୋଟିଏ କଣରେ ନିରବରେ ବସି ଏ ସମସ୍ତ ଆଲୋଚନା ଶୁଣୁଥିଲେ । କଳିଙ୍ଗ ନଗରର ଚେଦୀ ବଂଶୀୟ ସେ ଜଣେ ସାମନ୍ତ-ପୁତ୍ର । ରୂପରେ, ବିଦ୍ୟାରେ, ସମର କୁଶଳତାରେ କେହି ତାଙ୍କର ସମକକ୍ଷ ନ ଥିଲେ । ପନ୍ଦର ବର୍ଷ ବୟସ ବେଳକୁ ସେ ଲେଖ, ରୂପ, ଗଣନ, ବ୍ୟବହାର ଓ ବିଧି ପ୍ରଭୃତି ବିଦ୍ୟାରେ ପାରଙ୍ଗମ ହୋଇ ସାଥିଲେ । ତାଙ୍କ ନାମ ଖାରବେଳ ।
ଜନତାର ଦାସତ୍ୱ ଓ କ୍ଳୀବତ୍ୱ ନିପୀଡ଼ିତ ଅଟ୍ଟହାସ୍ୟ ନିରବ ହେଲା ପରେ, ସେ ଉଠି ଠିଆ ହେଲେ । (ତାଙ୍କ ପ୍ରଶସ୍ତ କପାଳେ, ଖଣ୍ଡାଧାର ପରି ଋଜୁ ନାସିକାରେ, ପୁଣି କୃଷ୍ଣ ଭ୍ରୁଲତା ତଳେ ବୃଦ୍ଧି ଦୀପ୍ତ ଦୁଇ ଆଖିରେ କଳିଙ୍ଗ ଆକାଶରେ ଏକ ନୂତନ ସୂର୍ଯ୍ୟ ଯେପରି ନୈରାଶ୍ୟ ଓ ଜଡ଼ତାର ଅନ୍ଧକାର କାଟି ଚେଇଁ ଉଠିଲା ।
ଖାରବେଳ କହିଲେ, “ଆପଣମାନେ ଏଣୁ ନମସ୍ୟ କିନ୍ତୁ ବାର୍ଦ୍ଧକ୍ୟରେ ଆପଣମାନଙ୍କର କେବଳ ଦେହର ବଳ ଭାଙ୍ଗି ନାହିଁ, ମନର ବଳ ମଧ୍ୟ ଭାଙ୍ଗି ପଡ଼ିଛି । ଆପଣମାନେ ପଛରେ ରହି ଆମକୁ ଆଶୀର୍ବାଦ ଦିଅନ୍ତି । ଆମେ ଆଜି ବାହାରୁଛୁ । ସର୍ବକ୍ଷତ୍ରାନ୍ତକ ମହାପଦ୍ମନନ୍ଦଙ୍କଠାରୁ ଅଶୋକଙ୍କ ପର୍ଯ୍ୟନ୍ତ ମଗଧ, କଳିଙ୍ଗ ଉପରେ ଯେଉଁ ଅତ୍ୟାଚାର କରି ଆସିଛି । କଳିଙ୍ଗକୁ ତା’ର ପ୍ରତିଶୋଧ ନେବା ପାଇଁ ପଡ଼ିବ । ଆଜି ସେଥିପାଇଁ ସୁଯୋଗ ଆସି ପହଞ୍ଚିଛି । ଏତେବେଳେ ଆପଣମାନେ ଉତ୍ସାହ ଦିଅନ୍ତୁ- କଳିଙ୍ଗର ଲଲାଟରୁ ଦାସତ୍ୱର କଳଙ୍କ ଲିଭିଯାଉ ।”
ଖାରବେଳଙ୍କ କଥା ଶୁଣି ଗଣସଭା ଏକ ନୂତନ ଉତ୍ତେଜନା ଓ ନୂତନ ବିକ୍ରମରେ ମାତି ଉଠିଲା । ଜୟ ଖାରବେଳଙ୍କର ଜୟ, ଜୟ କଳିଙ୍ଗର ଜୟ ନାଦରେ କଳିଙ୍ଗ ନଗରର ଗଣସଭା ଭବନ ମୁଖରିତ ହୋଇ ପଡ଼ିଲା । ସେହିଦିନ ସର୍ବସମ୍ମତିକ୍ରମେ କଳିଙ୍ଗର ନବୀନ ଅଭ୍ୟୁଦୟ ଓ ନବୀନ ଜାଗରଣରେ ଖାରବେଳ ନେତା ରୂପରେ ଅଭିଷିକ୍ତ ହେଲେ ।
ତା’ର ତିନି ବର୍ଷ ପରେ. . . ।
କଳିଙ୍ଗ ନଗରର ଘରେ ଘରେ, ଭଲ କରି ସକାଳ ନ ହେଉଣୁ କୁଳବଧୂମାନେ ପୂର୍ଣ୍ଣକୁମ୍ଭ ଓ ତୋରଣ ବସାଇ ଅଛନ୍ତି । ଆଜି ମହାମେଘବାହନ ଖାରବେଳ ଦକ୍ଷିଣାପଥ ଅଭିମୁଖରେ ବିଜୟ ଅଭିଯାନରେ ବାହାରିବେ । କଳିଙ୍ଗର ଚାରିଆଡୁ ପାଇକମାନେ ଆସି କଳିଙ୍ଗନଗରରେ ଠୁଳ ହୋଇଅଛନ୍ତି । କଳିଙ୍ଗ ନଗରର ଦୁର୍ଗ ପ୍ରାଚୀର-ଚୂଡ଼ାରେ ସକାଳର ଖରା ପଡ଼ିବା ସଙ୍ଗେ ସଙ୍ଗେ, ମାଦଳ, ଭେରୀ, ତୂରୀ ଓ କାହାଳୀର ଶବ୍ଦରେ ଚାରିଆଡ଼ କମ୍ପି ଉଠିଲା । କଳିଙ୍ଗ ନଗରର ପାଇକମାନେ ରାଜପଥ ଦୁଇ କଡ଼େ ଆସି ଠିଆ ହୋଇଗଲେ । ପାଇକବଧୂମାନଙ୍କର ହୁଳହୁଳି ଯୁଦ୍ଧବାଦ୍ୟର ଶବ୍ଦକୁ ସୁଦ୍ଧା ବୁଡ଼ାଇ ଦେଲା । ବୃଦ୍ଧ ପିତା ବିଦାୟୋନ୍ମୁଖ ପୁତ୍ରକୁ ପାଦତଳୁ ଉଠାଇ ଆଣି ତା’ ମୁଣ୍ଡରେ ସ୍ନେହ ଓ ଆଶୀର୍ବାଦରେ ହାତ ବୁଲାଇ ଆଣିଲେ । ଜନନୀ ଗୋଟିଏ ହାତରେ ଆଖିରୁ ଲୁହ ପୋଛି ଆର ହାତରେ ପୁତ୍ରର କପାଳରେ ସିନ୍ଦୂରର ଟୀକା ପିନ୍ଧାଇ ଦେଲେ । . . . କ୍ରମେ ଦେଖାଗଲା, ହସ୍ତୀପୃଷ୍ଠରେ ଆସୀନ ଗଜବାହିନୀ । ଗଜବାହିନୀ ପଛରେ ଏକ ସୁସଜ୍ଜିତ ରଥ ଉପରେ ମହାମେଘବାହନ ଖାରବେଳେ । ଶିରସ୍ତ୍ରାଣର ମଣିମୁକ୍ତା ଉପରେ ସୂର୍ଯ୍ୟର ଆଲୋକ, ଶତ ଶତ ସୂର୍ଯ୍ୟର ଦ୍ୟୁତିରେ ଝଲମଲ ହୋଇ ଉଠୁଛି । ଖାରବେଳଙ୍କ ଦୁଇ ପାଖରେ ସେନାପତିମାନେ ଅଶ୍ୱପୃଷ୍ଠରେ ଆସୁଛନ୍ତି ଯୁଦ୍ଧବେଶରେ ସଜ୍ଜିତ ହୋଇ । ଅଶ୍ୱବାହିନୀ ପଛରେ ଆସୁଛନ୍ତି ପାଞ୍ଚଲକ୍ଷ ପଦାତିକ ସୈନ୍ୟବାହିନୀ ଢାଲ, ତରବାରୀ, ଧନୁ, ତୀର ଓ ତୂଣୀରରେ ସଜ୍ଜିତ ହୋଇ ।
ଜନନୀ ପୁତ୍ରକୁ ବିଦାୟ ଦେଇ କହିଲେ. . . “ଧର୍ମର ଜୟ ହେଉ ।” କୁଳବଧୂ ସ୍ୱାମୀଙ୍କୁ ବିଦାୟ ଦେଇ କହିଲେ. . .”ପ୍ରାଣ ଯାଉ ପଛେ ମାନ ଦେବ ନାହିଁ ।” ପିତା ପୁତ୍ରକୁ ସ୍ନେହାଶୀଷ ଦେଇ କହିଲେ. . . “କଳିଙ୍ଗର ଜୟ ହେଉ ।”
. . . ଏ ଯୁଦ୍ଧଯାତ୍ରା, ଏ ଉନ୍ମାଦନା, ମୁକ୍ତିର ଆକାଙ୍କ୍ଷାର ଏ ପ୍ରଚଣ୍ଡ ପ୍ରକାଶ କଳିଙ୍ଗ ନଗର କେବେ ଦେଖି ନ ଥିଲା ।
ସେ ବର୍ଷ ସାତବାହନ ଆନ୍ଧ୍ରରାଜା ଶ୍ରୀ ସାତକଣ୍ଣୀ ଓ କୃଷ୍ଣାକୂଳର ମୁଷିକ୍ମାନଙ୍କୁ ପରାସ୍ତ କରି ଖାରବେଳ କଳିଙ୍ଗ ନଗର ଫେରିଆସିଲେ । ତା’ ପରବର୍ଷ ପୁଣି କଳିଙ୍ଗର ଅଭିଯାନ ଆରମ୍ଭ ହେଲା ମଧ୍ୟଦେଶର ରାଷ୍ଟ୍ରିକ ଓ ଭୋଜିକମାନଙ୍କ ବିରୁଦ୍ଧରେ । ରାଷ୍ଟ୍ରିକ ଓ ଭୋଜିକମାନେ ମଧ୍ୟ ପରାସ୍ତ ହୋଇ କଳିଙ୍ଗର ଆଧିପତ୍ୟ ସ୍ୱୀକାର କଲେ । ଏହା ପରେ ମହାମେଘବାହନ ଖାରବେଳ କଳିଙ୍ଗ ନଗରରେ ଏକ ରାଜସୂୟ ଯଜ୍ଞ ଆରମ୍ଭ କଲେ, କଳିଙ୍ଗର ଅଦ୍ଭୁଦୟ ବିଶ୍ୱରେ ଘୋଷଣା କରିବା ପାଇଁ । ଏ ରାଜସୂୟ ଯଜ୍ଞକୁ ଆସିଲେ ଦକ୍ଷିଣାପଥ ଓ ମଧ୍ୟଦେଶର ବିଜିତ ରାଜାମାନେ, ନବଜାଗ୍ରତ କଳିଙ୍ଗକୁ ଅଭିନନ୍ଦନ ଜଣାଇବା ପାଇଁ । ଏଥର କଳିଙ୍ଗ ନିରାପଦ । ଏହାପରେ ଉତ୍ତରାପଥ ଆକ୍ରମଣ କରି, ମଗଧ ଜୟ କରିବାର ପଥ ନିଷ୍କଣ୍ଟକ ହୋଇଗଲା ।
ରାଜତ୍ୱର ଅଷ୍ଟମ ବର୍ଷରେ ଖାରବେଳ ମଗଧ ବିରୁଦ୍ଧରେ ଆରମ୍ଭ କଲେ କଳିଙ୍ଗର ବହୁ ବାଞ୍ଛିତ ଅଭିଯାନ । ମଗଧ ସାମ୍ରାଜ୍ୟର ଦ୍ୱାର ପ୍ରଦେଶ ଗୋରଥଗିରିଠାରେ ଏକ ଭୀଷଣ ଯୁଦ୍ଧ ହେଲା । ସେଥିରେ ଝଡ଼ ମୁହଁରେ ଶୁଖିଲା ପତ୍ରପରି ମଗଧବାହିନୀ କେଉଁଆଡ଼େ ଯେ ଉଡ଼ିଗଲେ ତା’ର ପତ୍ତା ରହିଲା ନାହିଁ । ଗୋରଥଗିରି ପରେ ରାଜଗୃହ ମଧ୍ୟ କଳିଙ୍ଗ ସେନା ଆଗରେ ତିଷ୍ଠିପାରିଲା ନାହିଁ । ରାଜଗୃହ ଜୟ କରିବା ପରେ ଖାରବେଳ ବାହାରିଲେ ପାଟଳୀପୁତ ଅଭିମୁଖରେ ।
ପାଟଳୀପୁତ୍ରର ଭାଗ୍ୟାକାଶରେ ସେ ଏକ ନୀରନ୍ଧ୍ର ଅନ୍ଧକାର ରାତ୍ରି । ପାଟଳୀପୁତ୍ର ଉପକଣ୍ଠରେ ଖାରବେଳ ଶିବିର ପକାଇ, ଆକ୍ରମଣ ପ୍ରତୀକ୍ଷାରେ ଅପେକ୍ଷା କରି ରହିଛନ୍ତି । ତେଣେ ଡିମିଟ୍ରିୟମ୍ ଗ୍ରୀକ୍-ସୈନ୍ୟବାହନୀ ଧରି ଜଗି ବସିଛନ୍ତି ପାଟଳୀପୁତ୍ର ଅଧିକାର ପାଇଁ । ବୃହସ୍ପତିମିତ୍ର ପାଟଳୀଦୁର୍ଗ ଭିତରେ ବନ୍ଦୀପରି ଚରମ ମୁହୂର୍ତ୍ତର ଅପେକ୍ଷାରେ ପଡ଼ି ରହିଛନ୍ତି ।
ଜଣେ ସେନାପତି, ବୃହସ୍ପତିମିତ୍ରଙ୍କୁ ସମ୍ୱାଦ ଦେଲେ. . . ମହାମେଘବାହନ ଖାରବେଳ ଆପଣଙ୍କ ସହିତ ସାକ୍ଷାତ୍ ପାଇଁ ଦୁର୍ଗ ବାହାରେ ଅପେକ୍ଷା କରିଛନ୍ତି ।
କିଏ ମହାମେଘବାହୁନ ଭାରତ-ବିଜୟୀ ଖାରବେଳ । ସେ ତ ଆଦେଶ ଦେଇ ପାରିଥାନ୍ତେ, ଆଉ ବୃହସ୍ପତିମିତ୍ର ଆସିଥାନ୍ତେ ନତମସ୍ତକରେ ଆଦେଶ ଶିରୋଧାର୍ଯ୍ୟ କରି । ପୁଷ୍ପମିତ୍ର କହିଲେ. . . “ତାହାକୁ ସମ୍ମାନେ ଏଠାକୁ ଘେନିଆସ । ମୁଁ ଜାଣେ ସେ ଆସିଛନ୍ତି ମୋତେ ବନ୍ଦୀ କରିବା ପାଇଁ । ତାଙ୍କୁ ପ୍ରତିରୋଧ କରିବାର ଶକ୍ତି ଆଜି ମଗଧର ନାହିଁ ।”
ଖାରବେଳ ବୃହସ୍ପତିମିତ୍ରଙ୍କ କକ୍ଷରେ ପ୍ରବେଶ କଲାମାତ୍ରେ ବୃହସ୍ପତିମିତ୍ର ମଗଧର ରାଜମୁକୁଟ ଖାରବେଳଙ୍କ ପାଦତଳେ ସମର୍ପଣ କରି କହିଲେ- “ମୁଁ ଜଣେ ମହାପଦ୍ମନନ୍ଦଙ୍କଠାରୁ ଆଶୋକଙ୍କ ପର୍ଯ୍ୟନ୍ତ ମଗଧର ସବୁ ଅବିଚାର ସବୁ ଅତ୍ୟାଚାରର ପ୍ରତିଶୋଧ ପାଇଁ ଆପଣ ଆଜି ମଗଧ ଅଭିଯାନରେ ଆସିଛନ୍ତି । ମଗଧ ହାରିଛି, କଳିଙ୍ଗ ଜିଣିଛି । ମତେ ଆପଣ ଆଜି ବନ୍ଦୀ କରିପାରନ୍ତି ।”
ଖାରବେଳ ସ୍ମିତ ହସି କହିଲେ, “. . . ମଗଧରାଜ, କଳିଙ୍ଗ ଏଡ଼େ ନୀଚ, ସୁବିଧାବାଦୀ ଓ ଦୁର୍ବଳ ନୁହେଁ ଯେ ଆଜି ଡିମିଟ୍ରିୟସ୍ର ସୁଯୋଗ ନେଇ କଳିଙ୍ଗ ମଗଧ ଆକ୍ରମଣ କରିବ ।”
ତା’ପରେ ବୃହସ୍ପତିମିତ୍ରଙ୍କ ମୁଣ୍ଡରେ ରାଜମୁକୁଟ ପିନ୍ଧାଇ ପୁଣି ତାଙ୍କ ହାତରେ ନିଜର ତରବାରୀ ଦେଇ ଖାରବେଳ କହିଲେ. . . “ଭାରତର ଶତ୍ରୁ ଆଜି ଗ୍ରୀକ୍ ଡିମିଟ୍ରିୟସ୍ ଭାରତରେ ପୁଣି ସେ ଗ୍ରୀକ୍ ସାମାଜ୍ୟ ପ୍ରତିଷ୍ଠାର ସ୍ୱପ୍ନ ଦେଖୁଛି । ଭାରତର ସ୍ୱାଧୀନତା, ଭାରତର ମାନ ଠାରୁ, କଳିଙ୍ଗର ମାନ, ଅପମାନ ବଡ଼ ନୁହେଁ । ଭାରତର ସ୍ୱାର୍ଥ ପାଇଁ କଳିଙ୍ଗ ଅକାତରେ ଆତ୍ମଦାନ କରିପାରେ । ଆପଣ ନିଶ୍ଚିନ୍ତ ରୁହନ୍ତୁ ମଗଧରାଜ, ଡିମିଟ୍ରିୟସ୍କୁ ଭାରତଭୂମିରୁ ଦୂର ନ କରିବା ପର୍ଯ୍ୟନ୍ତ କଳିଙ୍ଗ ମଗଧ ଆକ୍ରମଣ କରିବ ନାହିଁ ।”
ବିସ୍ମୟରେ ବୃହସ୍ପତିମିତ୍ର ହତ୍ବାକ୍ ହୋଇଗଲେ ।
xxxxxx
ସେଥର ଡିମିଟ୍ରିୟସ୍କୁ ପରାସ୍ତ କରି ଗ୍ରୀକ୍ ଆକ୍ରମଣରୁ ଉତ୍ତର ଭାରତକୁ ସମ୍ପୂର୍ଣ୍ଣ ନିରାପଦ ରଖି, ଖାରବେଳ କଳିଙ୍ଗ ଫେରି ଆସିଲେ । ତା’ର ପୁଣି ତିନି ବର୍ଷ ପରେ ଖାରବେଳ ମଗଧ ଅଭିଯାନରେ ବୃହସ୍ପତିମିତ୍ରଙ୍କୁ ସମ୍ପୂର୍ଣ୍ଣ ରୂପେ ପରାସ୍ତ କରିଥିଲେ । ବହୁ ବର୍ଷ ପୂର୍ବେ ମଗଧରାଜ ମହାପଦନ୍ମନନ୍ଦ କଳିଙ୍ଗ ଇଷ୍ଟ ଦେବ ମଗଧ ବିଜୟ ପରେ କଳିଙ୍ଗର ସେହି ଇଷ୍ଟ ଦେବ କଳିଙ୍ଗ ଜିନଙ୍କୁ କଳିଙ୍ଗ ଫେରାଇ ଆଣି ଖଣ୍ଡଗିରିର ଏକ ଗୁହା ମନ୍ଦିରରେ ପୁଣି ପ୍ରତିଷ୍ଠିତ କରାଇଥିଲେ । କଳିଙ୍ଗର ଇତିହାସରେ ସେ ଆଉ ଗୋଟିଏ ଦିନ । ସେ ଦିନ ଯେପରି କି କୁରୁସଭା ତଳେ ଲାଞ୍ଛିତା ଦ୍ରୌପଦୀର ପୁଣି ଥରେ ବେଶୀ ବନ୍ଧନ ହୋଇଥିଲା । ମଞ୍ଚପୁରୀ ଗୁହାରେ ଆଜି ସୁଦ୍ଧ କଳିଙ୍ଗ ଜିନଙ୍କ ସେହି ପବିତ୍ର ପୀଠ ରହିଛି । ସେ ପୀଠ ଦେହରେ କଳିଙ୍ଗ ଜିନଙ୍କ ମୂର୍ତ୍ତି ସହିତ ଖାରବେଳଙ୍କ କଳିଙ୍ଗ ପ୍ରତ୍ୟାବର୍ତ୍ତନର ଚିତ୍ର ଆଜି ସୁଦ୍ଧ ଉତ୍କୀର୍ଣ୍ଣ ହୋଇ ରହିଅଛି । କଳିଙ୍ଗ ଜନିଙ୍କ ପ୍ରତ୍ୟାବର୍ତ୍ତନର ଚିତ୍ର ଆଜି ସୁଦ୍ଧା କଳିଙ୍ଗର ମର୍ମବାଣୀ ପ୍ରଚ୍ଛନ୍ନ ହୋଇ ରହିଅଛି । . . . ବିଶ୍ୱର କଲ୍ୟାଣ ପାଇଁ ଯେଉଁ କଳିଙ୍ଗ ଆତ୍ମଦାନ ଦେଇପାରେ, ସେ କଳିଙ୍ଗର ମୃତ୍ୟୁ ନାହିଁ । ଶତ ଲାଞ୍ଛନା ଓ ପରାଜୟ ଭିତରେ ସୁଦ୍ଧା ସେ କଳିଙ୍ଗର ଅଭ୍ୟୁଦୟ ହେବ ।
ତୁମେ କେବେ ଚେଷ୍ଟା କଲ, ଖଣ୍ଡଗିରିର ନିର୍ଜନ ଗୁହା ଭିତରେ ଏହାର ପ୍ରତିଧ୍ୱନି ହୁଏତ ଶୁଣି ପାରିବ ।
xxxxxx
ଲେଖକ ପରିଚୟ :-
ନାମ:- ସୁରେନ୍ଦ୍ର ମହାନ୍ତି (୧୯୨୦-୧୯୯୦) । ଠିକଣା:- ପୁରୁଷୋତ୍ତମପୁର, କଟକ ।
ଆଧୁନିକ ଯୁଗର ବିଶିଷ୍ଠ କଥା ଶିଳ୍ପୀ । ପ୍ରାବନ୍ଧିକ ଓ ସମାଲୋଚକ ଭାବେ ମଧ୍ୟ ସେ ଯଶସ୍ୱୀ । ସାମ୍ୱାଦିକ ଓ ସମାଜସେବୀ ରାଜନୀତିଜ୍ଞ ଭାବରେ ସେ କର୍ମଜୀବନ ଅତିବାହିତ କରିଥିଲେ । ନୀଳଶୈଳ, ଅନ୍ଧଦିଗନ୍ତ, କୃଷ୍ଣାବେଣୀରେ ସନ୍ଧ୍ୟା ପ୍ରଭୃତି ଉପନ୍ୟାସ, କୃଷ୍ଣଚୂଡ଼ା, ସବୁଜପତ୍ର, ଧୂସର ଗୋଲାପ, ମରାଳର ମୃତ୍ୟୁ, ମହାନିର୍ବାଣ ଓ କାଲକାଟା, ଦୁଇ ସୀମାନ୍ତ ଆଦି ଗଳ୍ପଗ୍ରନ୍ଥ, ଫକୀରମୋହନ ସମୀକ୍ଷା, ଓଡ଼ିଆ ସାହିତ୍ୟର ଆଦି – ପର୍ବ ଓ ମଧ୍ୟ – ପର୍ବ ପ୍ରଭତି ସାହିତ୍ୟ-ସମାଲୋଚନା ତାଙ୍କର ଉଲ୍ଲେଖଯୋଗ୍ୟ କୃତି । ନାଟକୀୟତା ଏବଂ ବ୍ୟଞ୍ଜନାତ୍ମକ ଭାଷାବିନ୍ୟାସ ତାଙ୍କର ରଚନାକୁ ବୈଶିଷ୍ଟ୍ୟ – ସମ୍ପନ୍ନ ଓ ମନୋଜ୍ଞ କରିଅଛି । ଏହି ରଚନାଟି ଲେଖକଙ୍କର ଉତ୍କଳ ଯୁଗେ ଯୁଗେ ଗ୍ରନ୍ଥରୁ ଗୃହୀତ । ଏଥିରେ ଐତିହାସିକ ଘଟଣାକୁ ଉପଜୀବ୍ୟ କରି ଖାରବେଳଙ୍କ ଶୌର୍ଯ୍ୟ, ବୀର୍ଯ୍ୟ ଓ ପୌରୁଷ ସହିତ କଳିଙ୍ଗର ଆଦର୍ଶ ତଥା ଉନ୍ନତ ଚିନ୍ତାଧାରା ଉପସ୍ଥାପିତ ।