ଗଲାଣି ତ ଗଲା କଥା ଲୋ ସଂଗାତ
ଗଲାଣି ତ ଗଲା କଥା
ପୁରୁଣା ଦିନ କୁ ମନେ ପକାଇ ତୁ
କାହିଁକି କୋଡୁଛୁ ମଥା ।
ନାହିଁ ଆମ ବେଳ ବୋହୁଚୋରୀ ଖେଳ
ନାହିଁ ବି କାଚ କଉଡ଼ି
କୁଆଁର ପନେଇଁ ପୁଚିଖେଳ ଆଉ
ଦୋଳ ପରବ ଲଉଡ଼ି ।
ହଳଦୀ ବସନ୍ତ ଯୋଡ଼ି ଯୋଡ଼ି ହୋଇ
ଗଛଡାଳେ ବସୁଛନ୍ତି
ହଳଦୀ ବସନ୍ତ ଦେଖିଲେ ବି ଆଉ
କୁଣିଆ ଆସୁ ନାହାନ୍ତି
ଖରାଦିନ ଆଉ ରସାଳ ତୋଟା ରେ
ବସୁନାହିଁ ହୋଇ ଦଳ
ସମସ୍ତଙ୍କ ଘରେ ଶୀତଳ ମେସିନ
ହେଉଛି ନିଦ ବହଳ ।
ମରମ ବେଦନା ମରମେ ମରୁଛି
ସଭିଙ୍କ ପଦେ ଶୃଙ୍ଖଳ
ମନ ଖୋଲି ପଦେ କଥା ହେବା ପାଇଁ
ସମୟ ସାଜୁଛି କାଳ ।
ପରସ୍ପର ପ୍ରୀତି ଭରି ରହିଥିଲା
କେତେ ସୁମଧୁର କଥା
ସପନ ହେଲାଣି ସାଙ୍ଗସାଥି ମେଳ
ଭାବି ଲାଗେ ଭାରି ବ୍ୟଥା ।
ଅତୀତ ଅଫେର ବର୍ତ୍ତମାନ ସାକ୍ଷୀ
ଝୁରି ଝୁରି ଦିନ ସରେ
କେତେ ଭଲ ଥିଲା ଆମ ସେ ସମୟ
ଫେରି ଆସନ୍ତାନି ଥରେ ?
ଫେରି ଆସନ୍ତାନି ଥରେ ?