ନାରୀ ଟିଏ ମୁଁ ନାରୀ ଟିଏ
ସେହି ସମାଜର ନାରୀ ଟିଏ।(୨)
ଯେଉଁ ସମାଜରେ ନାରୀକୁ ସର୍ବଦା ଅବଳା ଦୁର୍ବଳା କୁହାଯାଏ,
ନାରୀ ଟିଏ ମୁଁ ନାରୀ ଟିଏ
ସେହି ସମାଜର ନାରୀ ଟିଏ।
କେବେ କନ୍ୟା ସିଏ କେବେ ତ ଭଗିନୀ କେବେ ଜାୟା ସିଏ ବୋଲାଯାଏ,
କେବେ ମା ହୋଇ ସେହି ନାରୀ ପୁଣି ହସି ହସି ଦୁଃଖ ସହିଯାଏ।(୨)
ତଥାପି,ସମାଜ ତା ହୀନ ଦୃଷ୍ଟିରେ ତାହାରି ଆଡ଼କୁ ଦେଖୁଥାଏ।
ନାରୀ ଟିଏ ମୁଁ ନାରୀ ଟିଏ
ସେହି ସମାଜର ନାରୀ ଟିଏ।
ମନ କଥା ମନ ଭିତରେ ରଖିକି ସବୁ କାମ ସିଏ କରୁଥାଏ,
ସମ୍ମାନ ଟିକକ ପାଇବା ପାଇଁତ ସେ ସାରା ଜୀବନ ଲଢ଼ୁଥାଏ।(୨)
ତଥାପି,ସମାଜ ନବୁଝି ନଶୁଝି ନାରୀର ଦୁର୍ଗୁଣ ଗାଉଥାଏ।
ନାରୀ ଟିଏ ମୁଁ ନାରୀ ଟିଏ
ସେହି ସମାଜର ନାରୀ ଟିଏ।
ସମାଜ ପାଇଁକି ଜନ୍ମ ସମୟରୁ ନାରୀ ପରା ବୋଝ ହୋଇଯାଏ ,
ଋତୁସ୍ରାବ ଡର ଦୁଷ୍କର୍ମର ଡର ତାକୁ ସବୁବେଳେ ଘାରୁଥାଏ।(୨)
ନରପିଶାଚର ଲୋଲୁପ ଦୃଷ୍ଟିତ ନାରୀକୁ ଯନ୍ତ୍ରଣା ଦଉଥାଏ।
ନାରୀ ଟିଏ ମୁଁ ନାରୀ ଟିଏ
ସେହି ସମାଜର ନାରୀ ଟିଏ।
ଏହି ସମାଜରେ ରାବଣ ମୂର୍ତ୍ତିକୁ ପାପୀ ବୋଲି କହି ଜଳାଯାଏ,
ତାକୁ ଦେଖିବାକୁ ସହସ୍ର ରାବଣ ସେହି ମହୋତ୍ସବେ ଯୋଗଦିଏ।(୨)
ଘରର ଲକ୍ଷ୍ମୀଙ୍କୁ ଅସମ୍ମାନ କରି ଠାକୁରାଣୀ ଏଠି ପୂଜାଯାଏ।
ନାରୀ ଟିଏ ମୁଁ ନାରୀ ଟିଏ
ସେହି ସମାଜର ନାରୀ ଟିଏ।
ଜୀବନ ଆରମ୍ଭୁ ଜଳୁଥାଏ ସିଏ ଜଳି ଜଳି ପୁଣି ଶେଷ ହୁଏ,
ନିଜେ ଜଳି ବାସ ବାଣ୍ଟି ବାଣ୍ଟି ପରା ତାଜୀବନ ଆଜି ଧନ୍ୟ ହୁଏ ।(୨)
ତଥାପି,ସମାଜ ଏ ନାରୀ ଜାତିର ହତାଦର ପାଇଁ ନ ପଛାଏ।
ନାରୀ ଟିଏ ମୁଁ ନାରୀ ଟିଏ
ସେହି ସମାଜର ନାରୀ ଟିଏ।
ଯେଉଁ ସମାଜରେ ନାରୀକୁ ସର୍ବଦା ଅବଳା ଦୁର୍ବଳା କୁହାଯାଏ,
ନାରୀ ଟିଏ ମୁଁ ନାରୀ ଟିଏ
ସେହି ସମାଜର ନାରୀ ଟିଏ।