କବିତା

ଗଙ୍ଗାମାତା

Manmath Kumar Dalei's odia poem Gangaamaataa

ସେ ନଦୀ ଆମ ମାଆ
ଗଙ୍ଗାମାତା ତା ନାଆଁ

ଗଙ୍ଗାମାତା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କଳ କଳ କୁଆଁ କୁଆଁ ମନ୍ତ୍ରରେ
କମ୍ପି ଉଠିଲା ଗଗନ ପବନ,
କମ୍ପି ଉଠିଲା ହିମାଳୟର
ହିମ ଵିମଣ୍ଡିତ ପବିତ୍ର ଏନ୍ତୁଡ଼ିଶାଳ,
ଜନ୍ମନେଲେ ଏକ ପବିତ୍ର କନ୍ୟା ରତ୍ନ ।

ଗୁରୁଣ୍ଡି ଶିଖିବା ଠାରୁ
ସୁନ୍ଦରବନସ୍ଥ ସାଗର ଶ୍ମଶାନରେ
ଲୀନ ହେବା ଯାଏଁ ସେ ନଦୀ କନ୍ୟାଟି,
ଆମ ସଭ୍ୟତାର ମହାଦ୍ରୁମରେ
ବିକାଶର ଫଳ ହୋଇ ଫଳିଲା,
ପ୍ରଦ୍ୟୁଷଣ ଚିତାଗ୍ନିରେ
ଶବ ହୋଇ ଜଳିଲା,
ଅନ୍ଧକାର ନରକରେ
ଆଲୋକର ଉତ୍ସ ହୋଇ ଚମକିଲା,
ଉଦରର ଭୋକ ପାଇଁ
ସ୍ୱାଦିଷ୍ଟ ଅନ୍ନ ହୋଇ ଫୁଟିଲା ।

ସେ ନଦୀ ଆମ ମାଆ
ଗଙ୍ଗାମାତା ତା ନାଆଁ

ଗଙ୍ଗାମାତା
ଏକ ଜୀବନ୍ତ କବିତା
ଯେଉଁଥିରେ ଭରିଅଛି
ପ୍ରେମ ଜୁଡୁବୁଡୁ ମାଦକତା
ଲୁହ ଛଳ ଛଳ ଆତ୍ମୀୟତା
ସତ୍ୟ,ଶିବ, ସୁନ୍ଦରର ଭବ୍ୟ ସମ୍ମୋହନ
ମୋକ୍ଷର ଶୀତଳ ଆହ୍ୱାନ
ମୁକ୍ତିର ବଳିଷ୍ଠ ଆମନ୍ତ୍ରଣ
ଏବଂ ମୃତ୍ୟୁର ଦୃଢ଼ ଆଲିଙ୍ଗନ ।

ଗଙ୍ଗାମାତା
ନଦୀ ନାଆଁରେ ଏକ ଦେବୀ,
ଯେଉଁଠି ପଡ଼ିଛି ତା ପାଦ
ସେଇଠି ଫୁଟିଛି ଶତଦଳ ପଦ୍ମ,
ଗଢି ଉଠିଛି ସହର ନଗର,
ଆଧ୍ୟାତ୍ମିକତାର କୋଳାହଳରେ
ପୁରି ଯାଇଛି ହୃଦୟ,
ସତେ ଯେମିତି କୁସୁକୁମର ହାରଟିଏ
ପିନ୍ଧିଛି ଏ ଦେଶ ।

ଗଙ୍ଗାମାତା ଆଜି ଉଦାସ,
ପ୍ରଦୂଷଣ ବିଷର ଭୀଷଣ ଜ୍ୱାଳାରେ
ଜଳି ଯାଉଛି ତା ଦେହ,
ତା ପେଟରେ
ନାଳନର୍ଦ୍ଦମା ଏବଂ କଳାକାରଖାନାର
ପେଟେ ଆବର୍ଜନା,
ଦେହ ସାରା ମେଞ୍ଚା ମେଞ୍ଚା ଘାଆ
ରକତର ଦାଗ,
ଆଖିରେ ଧାର ଧାର ଲୁହ ।

କାଗଜର ଛଳନା କ୍ଷେତରେ
ଚାଷ ହୋଇ ଚାଲିଛି
ଯୋଜନା ପରେ ଯୋଜନାର ଫସଲ,
କିନ୍ତୁ ଆଖିଦୃଶିଆ କିଛି ଫଳିଲାନି ଫଳ,
ଆମେ ପରା ଏମିତି ପାଠୁଆ ଛାତ୍ର
ଆମ ବସ୍ତାନିଟା ବହୁତ ବଡ଼
କିନ୍ତୁ ପାଠ ଘର ପୁରା ଶୂନ ।

ବୁଝିଲ
ଗଙ୍ଗାମାତାକୁ ଦୂଷିତ କରିବା ସହଜ
କିନ୍ତୁ ତା ପରି ହେବା
ସମ୍ପୂର୍ଣ୍ଣ ଅସମ୍ଭବ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top