-: ପୂର୍ବରୁ :-
ମହାବାହୁ ଅର୍ଜୁନଙ୍କ ଯାତ୍ରାକାଳରେ ତାଙ୍କ ସହିତ ସହଗମନ କରିବାକୁ ବହୁ ବେଦପାରଗ ବ୍ରାହ୍ମଣ, ଭିକ୍ଷାଜୀବୀ ଯତି, ବ୍ରହ୍ମଚାରୀ ଓ କେତେକ ଊର୍ଦ୍ଧ୍ଵରେତା ଋଷି ତାଙ୍କ ସହିତ ଇନ୍ଦ୍ରଙ୍କୁ ସର୍ବଦା ବେଷ୍ଟନ କରି ଯାଉଥିବା ମରୁଦ୍ଗଣଙ୍କ ପରି ଗମନ କଲେ । ବହୁ ଦେଶ ପର୍ଯ୍ୟଟନ କରି ଏବଂ ଅନେକ ପବିତ୍ର ତୀର୍ଥସ୍ଥାନମାନ ଦର୍ଶନ କରି ସମସ୍ତେ ଗଙ୍ଗା ଦ୍ୱାରରେ ଉପଗତ ହେଲେ । ସେଠାରେ ଅବସ୍ଥାନ କାଳରେ ବ୍ରାହ୍ମଣମାନେ ନିୟମିତ ଭାବରେ ଯଜ୍ଞାନୁଷ୍ଠାନ କରି ପ୍ରଜ୍ୱଳିତ ହୁତାଶନରେ ଆହୁତି ପ୍ରଦାନପୂର୍ବକ ନାନାବିଧ ପୁଷ୍ପରେ ସେ ସ୍ଥାନ ସୁସଜ୍ଜିତ କରୁଥିଲେ ।
ଦିନେ ପାଣ୍ଡବଶ୍ରେଷ୍ଠ ଅର୍ଜୁନ ସେଠାରେ ଯଜ୍ଞରେ ଘୃତାହୁତି ପ୍ରଦାନ ଶେଷ କରି ଗଙ୍ଗାଜଳରେ ପିତୃପିତାମହଙ୍କୁ ଜଳତର୍ପଣ କରିବାକୁ ଜଳରେ ପ୍ରବେଶ କଲେ ।
ଗଙ୍ଗାଜଳରେ ସନ୍ତରଣରତା ନାଗରାଜାଙ୍କ କନ୍ୟା ଉଲୂପୀ ବହୁସମୟ ଧରି ତୀରଦେଶରେ ଉପବେଶନ କରିଥିବା ଅର୍ଜୁନଙ୍କର ଦୀର୍ଘଦେହ, ବିଶାଳ ବକ୍ଷ, ଆଜାନୁଲମ୍ୱିତ ବଳିଷ୍ଠ ବାହୁଦ୍ୱୟ, ଉନ୍ନତ ନାସା, ପ୍ରଶସ୍ତ କପାଳ, ଆୟତ ନେତ୍ର ଓ ସୁପୃଷ୍ଟ ଅଧର ବିଶିଷ୍ଟ ସୁଦର୍ଶନ ରୂପ ପ୍ରତି ନିଜର ଦୃଷ୍ଟି ନିବଦ୍ଧ କରିଥିଲେ । ଧୀରେ ଧୀରେ ଅର୍ଜୁନଙ୍କ ପ୍ରତି ତାଙ୍କର ଆକର୍ଷଣ ବୃଦ୍ଧି ପାଉଥିଲା । ତାଙ୍କୁ ନିଜର ପତିରୂପେ ପାଇବା ପାଇଁ ତାଙ୍କ ମନରେ କାମନା ତୀବ୍ର ହେବାକୁ ଲାଗିଥିଲା ।
କିନ୍ତୁ ସେ କିପରି ବା ପହଞ୍ଚି ପାରିବେ ତାଙ୍କ ନିକଟରେ । ଋଷି, ମୁନି, ବ୍ରାହ୍ମଣ ଓ ସାଧାରଣଙ୍କର ସମାବେଶ ମଧ୍ୟରେ ସେ ଅର୍ଜୁନଙ୍କ ନିକଟରେ କିପରି ବା ନିଜ ହୃଦୟର ଆକର୍ଷଣର କଥା ପ୍ରକାଶ କରିପାରିବେ ।
ତାଙ୍କର ସେ ବହୁ ଆକାଂକ୍ଷିତ ମୁହୂର୍ତ୍ତ ଆସିଗଲା ଯେତେବେଳେ ଅର୍ଜୁନ ଜଳତର୍ପଣ ପାଇଁ ନଦୀ ଜଳରେ ପ୍ରବେଶ କଲେ । ସେ ଡୁବ ଦେବାବେଳେ ଉଲୂପୀ କ୍ଷୀପ୍ର ବେଗରେ ଆସି ଅର୍ଜୁନଙ୍କୁ ଗଭୀର ଜଳ ଭିତରକୁ ଆକର୍ଷଣ କରିନେଇ ପହଞ୍ଚିଲେ କୌରବ୍ୟ ନାମକ ନାଗରାଜଙ୍କର ପାତାଳଲୋକରେ ଥିବା ମହାମଣିମୟ ଭବନରେ ।
ଏପରି ଏକ ଅପୂର୍ବ ସୁନ୍ଦର ଭବନରେ ଅର୍ଜୁନ ନିଜେ କିପରି ଆସି ପହଞ୍ଚିଲେ ବୁଝିପାରିଲେନି । କିନ୍ତୁ ସେ ଯେ କୌଣସି ମୋହିନୀ ମାୟାର ବଶବର୍ତ୍ତୀ ହୋଇ ଏଠାକୁ ଆକର୍ଷିତ ହୋଇଛନ୍ତି ତା’ ସେ ଅନୁଭବ କରିପାରୁଥିଲେ ।
ଅର୍ଜୁନ ବିସ୍ମିତ ହୋଇ ସେ ମଣିଭବନର ସୌନ୍ଦର୍ଯ୍ୟ ଦେଖିବା ସହ ସେଠାକୁ କାହାଦ୍ୱାରା ଆହୂତ ହୋଇଛନ୍ତି ଜାଣିବା ପାଇଁ ଇତସ୍ତତଃ ଲକ୍ଷ୍ୟ କରୁଥିଲେ । ତାଙ୍କ ସମ୍ମୁଖରେ ପରିଦୃଶ୍ୟ ହେଲେ ଅନିନ୍ଦ୍ୟ ସୁନ୍ଦରୀ ନାଗକନ୍ୟା ଉଲୂପୀ ।
ଉଲୂପୀଙ୍କର ଅସାମାନ୍ୟ ରୂପ ଶୋଭା ଅର୍ଜୁନଙ୍କୁ ବିମୋହିତ କଲା । ଅତଳଜଳ ତଳେ ଏହି ଅପୂର୍ବ ସୌନ୍ଦର୍ଯ୍ୟମୟୀ ନାରୀ କିଏ ହୋଇପାରନ୍ତି ? ଅର୍ଜୁନ ତାଙ୍କ ପ୍ରତି ତୀବ୍ର ଆକର୍ଷଣ ଅନୁଭବ କରିବାକୁ ଲାଗିଲେ । ତଥାପି ନିଜକୁ ସଂଯତ କରି ପଚାରିଲେ, “ହେ ରୂପସୀ ରମଣୀ, ତୁମେ କିଏ ?”
– ମୁଁ ନାଗରାଜ କୌରବ୍ୟଙ୍କର କନ୍ୟା ଉଲୂପୀ ।
– ହେ ଭଦ୍ରେ, ମୁଁ ହେଉଛି ମଧ୍ୟମ ପାଣ୍ଡବ ଅର୍ଜୁନ ।
– ତାହା ମୁଁ ଜାଣେ ।
– ତୁମେ ମୋର ପରିଚୟ ଜାଣିଛ ? କିପରି ?
– ମୁଁ ଆପଣଙ୍କର ରାଜ୍ୟତ୍ୟାଗର କାରଣ, ତୀର୍ଥାଟନ, ଯଜ୍ଞାନୁଷ୍ଠାନ ଓ ଗଙ୍ଗାସ୍ନାନ ପ୍ରଭୃତି ସମସ୍ତ ବିଷୟରେ ଅବଗତ ଅଛି ।
ଅର୍ଜୁନ ଉଲୂପୀଙ୍କର ଉତ୍ତରରେ ଆଶ୍ଚର୍ଯ୍ୟ ହୋଇଗଲେ । ଏହି ମୋହିନୀ ନାରୀ ତାଙ୍କ ସମ୍ପର୍କରେ ଏତେ କଥା ଜାଣିଛନ୍ତି । କିନ୍ତୁ କାହିଁକି ? କେଉଁ ଆଗ୍ରହରେ ? କିନ୍ତୁ ନିଜ ମନକଥା ଗୋପନ ରଖି ପଚାରିଲେ, “ହେ ଶୁଭାଙ୍ଗିନୀ, ମୁଁ ଗଙ୍ଗାଜଳରେ ତର୍ପଣ ପାଇଁ ଅବତରଣ କରିବା କଥା ମୋର ସ୍ମରଣ ଅଛି । କିନ୍ତୁ ଏହି ନାଗପୁରକୁ ମୁଁ କିପରି ଆସିଲି ?”
ଉଲୂପୀ ଲଜ୍ଜାନତ ମୁଖରେ ସ୍ମିତ ହସି କହିଲେ “ହେ କୁରୁଶ୍ରେଷ୍ଠ, ମୁଁ ହିଁ ଆପଣଙ୍କୁ ଏଠାକୁ ଆକର୍ଷଣ କରି ଆଣିଛି ।”
– କିନ୍ତୁ କାହିଁକି ? ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଅର୍ଜୁନ ।
ଉଲୂପୀଙ୍କର ମୁଖ ଲଜ୍ଜାରୁଣ ହୋଇଉଠିଲା । ସେ କମ୍ପିତ କଣ୍ଠରେ ନିଜର ଅଭିଳାଷ ପ୍ରକାଶ କରି କହିଲେ, “ହେ ମଧ୍ୟମ ପାଣ୍ଡବ, ଗଙ୍ଗା ନଦୀରେ ସନ୍ତରଣ କରିବାବେଳେ ଆପଣ ତୀରସ୍ଥ ଭୂମିରେ ଯଜ୍ଞାନୁଷ୍ଠାନ କରୁଥିବାର ମୁଁ ଲକ୍ଷ୍ୟ କରିଥିଲି । ଋଷି, ମୁନି, ବ୍ରାହ୍ମଣ ଓ ବହୁ ସାଧାରଣ ମଣିଷଙ୍କ ସମାବେଶରେ ଆପଣ ସ୍ୱୟଂ ଦେବରାଜ ଇନ୍ଦ୍ରଙ୍କ ତୁଲ୍ୟ ପ୍ରଭାବନ୍ତ, ଶୌର୍ଯ୍ୟବାନ ମନେ ହେଉଥିଲେ । ଆପଣଙ୍କର ଏହି ଅସାଧାରଣ ସୌମ୍ୟରୂପ ମତେ ନିବିଡ଼ ଭାବରେ ଆକର୍ଷିତ କଲା । କିନ୍ତୁ ସମସ୍ତଙ୍କ ଉପସ୍ଥିତିରେ, ଯଜ୍ଞସ୍ଥଳରେ ମୁଁ ଜଣେ ଏକାକିନୀ ନାରୀ ପ୍ରବେଶ କରିବା ସମୀଚୀନ ମନେ କଲିନାହିଁ । ମୁଁ ସେଠାରେ ସୁଯୋଗର ଅପେକ୍ଷା କରୁଥିଲି । ଆପଣ ଜଳରେ ପ୍ରବେଶ କରିବା ସଙ୍ଗେ ମୁଁ ତ୍ୱରିତ ବେଗରେ ଆପଣଙ୍କୁ ଏଠାକୁ ଆକର୍ଷଣ କରିଆଣିଛି ।”
ଉଲୂପୀ କିଛି ସମୟ ନିରବ ରହିଲେ । ତାଙ୍କର ଲଜ୍ଜାରୁଣ ମୁଖ ଓ କମ୍ପିତ ସ୍ୱରରୁ ଅର୍ଜୁନ ବୁଝିସାରିଥିଲେ ନାଗକନ୍ୟା କାହିଁକି ତାଙ୍କ ପ୍ରତି ଆକୃଷ୍ଟ ହୋଇଛନ୍ତି ? ଉଲୂପୀଙ୍କର ସୌନ୍ଦର୍ଯ୍ୟ ମଧ୍ୟ ତାଙ୍କ ମନରେ ଭାବାନ୍ତର ସୃଷ୍ଟି କରୁଥିଲା ।
କିନ୍ତୁ ସେ ଯେ ସର୍ତ୍ତାଧୀନ । କିପରି ସେ ନିୟମ ଲଙ୍ଘନ କରିବେ ?
ତାଙ୍କର ନିରବତା ଲକ୍ଷ୍ୟକରି ଉଲୂପୀ ମନେକଲେ ଯେ ସେ ଜଣେ ନାରୀ ହୋଇ ନିଜର ପ୍ରେମାଭିଳାଷ ବ୍ୟକ୍ତ କରିଥିବାରୁ ଅର୍ଜୁନ ଅନ୍ୟଥା ଭାବୁଛନ୍ତି କି ? ତେଣୁ ସେ ଏଥର ନିଜର ଆବେଗକୁ ସମ୍ୱରଣ କରିନେଇ କହିଲେ, “ହେ ବୀରଶ୍ରେଷ୍ଠ ପାର୍ଥ, ମୁଁ ଜଣେ ନାଗକନ୍ୟା ! ଆମର ସ୍ୱାଧୀନ ବିହାରରେ କୌଣସି ପ୍ରତିବନ୍ଧକ ନଥାଏ । ତେଣୁ ସାଗର ଓ ନଦୀସମୂହରେ ଆମେ ସ୍ୱଚ୍ଛନ୍ଦରେ ବିହାର କରିଥାଉ । ମୁଁ ସ୍ୱାଧୀନା କିନ୍ତୁ ସ୍ୱୈରିଣୀ ନୁହେଁ । ମୁଁ ନାଗରାଜ କୌରବ୍ୟଙ୍କର କୁମାରୀ କନ୍ୟା । ମୋର ମନୋମତ ପତି ନିର୍ବାଚନରେ ଅଧିକାର ଅଛି । ମୁଁ ଆପଣଙ୍କୁ ମୋର ପତି ରୂପେ ବରଣ କରିଥିବାରୁ ଆପଣ ମତେ ସ୍ୱୀକାର କରନ୍ତୁ ।”
ଅର୍ଜୁନ ନାଗକନ୍ୟାଙ୍କର ଏ ପ୍ରସ୍ତାବରେ ଖୁବ୍ ଆହ୍ଲାଦିତ ହେଲେ ବି ସର୍ତ୍ତ ସ୍ମରଣ କରି କହିଲେ, “ହେ ବରାନନେ, ମୁଁ ମଧ୍ୟ ତୁମ୍ଭ ପ୍ରତି ଗଭୀର ଭାବରେ ଆକୃଷ୍ଟ ହୋଇଛି ଓ ତୁମ୍ଭଙ୍କୁ ପତ୍ନୀରୂପେ ଗ୍ରହଣ କରିପାରିବା ମୋ ପାଇଁ ସୌଭାଗ୍ୟର କାରଣ ଅଟେ । କିନ୍ତୁ. . . ?”
ତାଙ୍କୁ ଆଉ ଅଧିକ କିଛି କହିବାର ସୁଯୋଗ ନ ଦେଇ ଉଲୂପୀ କହିଲେ “ମୁଁ ଜାଣେ ଆପଣ କେଉଁ କାରଣରୁ ବାରବର୍ଷ ବନବାସ ସହ ବ୍ରହ୍ମଚର୍ଯ୍ୟ ରକ୍ଷା କରିବା ନିୟମକୁ ସ୍ୱୀକାର କରିଛନ୍ତି । ସେଠାରେ ଆପଣ ଧର୍ମରକ୍ଷା କରିଛନ୍ତି । ଏଠାରେ ମଧ୍ୟ ଆପଣଙ୍କୁ ଅନ୍ୟ ଏକ ଧର୍ମରକ୍ଷା କରିବାକୁ ହେବ । ଏବେ ମୁଁ ନାଗରାଜଙ୍କର କୁମାରୀ କନ୍ୟା ଉଲୂପୀ ଆପଣଙ୍କୁ ପତି ରୂପେ ବରଣ କରିସାରିଛି । ଆପଣ ଯଦି ମତେ ଗ୍ରହଣ ନ କରନ୍ତି ତେବେ ମୁଁ ପ୍ରାଣତ୍ୟାଗ କରିବି । ଏହାଦ୍ୱାରା ଆପଣ ଯେଉଁ ଅଧର୍ମରେ ଭାଗୀ ହେବେ, ସେଥିରୁ କିପରି ବା ନିସ୍ତାର ପାଇବେ । ଆପଣ କ୍ଷତ୍ରିୟ, ରାଜବଂଶଜ । ଆପଣଙ୍କ ପ୍ରତି ସର୍ବାନ୍ତଃକରଣରେ ସମର୍ପିତା ନାରୀକୁ ସ୍ୱୀକାର କଲେ ହିଁ ଆପଣଙ୍କ କ୍ଷାତ୍ରଧର୍ମ ସୁରକ୍ଷିତ ରହିବ ।”
ଅର୍ଜୁନ ଉଲୂପୀଙ୍କ ସୌନ୍ଦର୍ଯ୍ୟ ଓ ତାଙ୍କ ପ୍ରତି ତାଙ୍କର ଗଭୀର ପ୍ରେମ ଲକ୍ଷ୍ୟକରି ଧର୍ମକୁ ସାକ୍ଷୀ ରଖି ତାଙ୍କୁ ଗ୍ରହଣ କଲେ । ନାଗଭବନରେ ଉଲୂପୀଙ୍କ ସହିତ ଏକ ପ୍ରଗାଢ଼ ପ୍ରେମପୂର୍ଣ୍ଣ ରାତି ଅତିବାହିତ କରି ପରଦିନ ସୂର୍ଯ୍ୟୋଦୟ କାଳରେ ସେ ଉଲୂପୀଙ୍କ ସହ ଗଙ୍ଗାଦ୍ୱାରକ ଆଗମନ କଲେ । ସେଠାରେ ଅର୍ଜୁନଙ୍କର ଜଳ ନିମଜ୍ଜନ ପରଠାରୁ ବ୍ୟାକୁଳ ହୋଇ ଅପେକ୍ଷା କରୁଥିବା ବ୍ରାହ୍ମଣ ଓ ଅନ୍ୟମାନଙ୍କର ଆନନ୍ଦବର୍ଦ୍ଧନ କରି ଅର୍ଜୁନ ଜଳରୁ ଆତ୍ମପ୍ରକାଶ କଲେ ।
ପତିଙ୍କୁ ବିଦାୟ ଦେଇ ଫେରିଯାଉଥିବା ଉଲୂପୀ ବର ଦେଇଗଲେ ଯେ ଜଳରେ ଅର୍ଜୁନଙ୍କୁ କେହି ଜୟ କରିପାରିବେ ନାହିଁ ଏବଂ ଯେତେ ଜଳଚର ଅଛନ୍ତି ସମସ୍ତେ ତାଙ୍କର ସାଧ୍ୟ ହେବେ ।
ଅର୍ଜୁନ ସେଠାରେ ଉପସ୍ଥିତ ଋଷି ଓ ବ୍ରାହ୍ମଣମାନଙ୍କ ନିକଟରେ ନାଗଭବନର ସମୁଦାୟ ବୃତ୍ତାନ୍ତ ନିବେଦନ କଲେ । ସେମାନେ ମଧ୍ୟ ଏଥିରେ ଆନନ୍ଦ ପ୍ରକାଶ କରି ତାହା ଧର୍ମାନୁମୋଦିତ ବୋଲି ସମର୍ଥନ ଜଣାଇଲେ ।
ପୁଣି ଆରମ୍ଭ ହେଲା ପର୍ଯ୍ୟଟନ । ପୁରୁଷ ଶ୍ରେଷ୍ଠ ଅର୍ଜୁନ ହିମବନ୍ତର ପାର୍ଶ୍ୱଦେଶକୁ ପ୍ରଥମେ ଗମନ କଲେ । ତ’ପରେ ହିରଣ୍ୟବିନ୍ଦୁ ନାମକ ତୀର୍ଥରେ ସ୍ନାନ କରି ବହୁ ସ୍ଥାନ ଓ ତୀର୍ଥାଟନ କରିବାପରେ ମଣିପୁର ରାଜ୍ୟରେ ପ୍ରବେଶ କଲେ । ସେଠାରେ ଜାଣେ ଚାରୁଦର୍ଶନା କନ୍ୟାଙ୍କୁ ଭ୍ରମଣ କରୁଥିବାର ଦେଖି ତାଙ୍କ ପ୍ରତି ଆକୃଷ୍ଟ ହୋଇ ଜାଣିବାକୁ ପାଇଲେ ଯେ ସେ କନ୍ୟା ହେଉଛନ୍ତି ମଣିପୁରର ରାଜା ଚିତ୍ରବାହନଙ୍କର କନ୍ୟା ଚିତ୍ରାଙ୍ଗଦା ।
ଅର୍ଜୁନ ରାଜା ଚିତ୍ରବାହନଙ୍କ ନିକଟକୁ ଗମନ କରି ନିଜର ପରିଚୟ ଦେବାରୁ ରାଜାଙ୍କର ଆନନ୍ଦର ସୀମା ରହିଲା ନାହିଁ । କୁରୁଶ୍ରେଷ୍ଠ ମଧ୍ୟମ ପାଣ୍ଡବ ତାଙ୍କ କନ୍ୟାର ପାଣିପ୍ରାର୍ଥୀ ଜାଣି ସେ ଗୌରବ ଅନୁଭବ କଲେ । କିନ୍ତୁ ତାଙ୍କର ବଂଶାନୁକ୍ରମେ ଏକ ବ୍ୟବସ୍ଥା ପ୍ରଚଳିତ ଥିଲା ଯେ ତାଙ୍କ ବଂଶରେ ଜଣେ ରାଜାଙ୍କର ଗୋଟିଏ ମାତ୍ର ସନ୍ତାନ ଜାତ ହେବ । ଚିତ୍ରବାହନଙ୍କ ପୂର୍ବବର୍ତ୍ତୀ ବଂଶଧରମାନଙ୍କର ଗୋଟିଏ ଲେଖାଏଁ ପୁତ୍ର ଜନ୍ମଗ୍ରହଣ କରି ବଂଶରକ୍ଷା କରିଆସିଛନ୍ତି । କିନ୍ତୁ ତାଙ୍କ କ୍ଷେତ୍ରରେ ପ୍ରଥମ ବ୍ୟତିକ୍ରମ ହେଲା, ପୁତ୍ର ପରିବର୍ତ୍ତେ ତାଙ୍କର କନ୍ୟାଟିଏ ଜନ୍ମ ହୋଇଛି । ତେଣୁ ସେହି କନ୍ୟାର ସନ୍ତାନ ହିଁ ତାଙ୍କର ବଂଶର ଉତ୍ତରାଧିକାରୀ ଭାବରେ ମଣିପୁରର ରାଜା ଭାବରେ ରାଜ୍ୟର ଦାୟିତ୍ୱ ନେବ । ଅର୍ଜୁନ ତାଙ୍କ କନ୍ୟାକୁ ବିବାହ କରିପାରିବେ କିନ୍ତୁ ତାଙ୍କର ଯେଉଁ ସନ୍ତାନ ଜନ୍ମ ହେବ ତା’ ଉପରେ ନିଜର ଅଧିକାର ସାବ୍ୟସ୍ତ କରିବେ ନାହିଁ ।
ଚିତ୍ରବାହନ ଖୁବ୍ ନମ୍ର ଭାବରେ ତାଙ୍କର ପ୍ରସ୍ତାବ ଅର୍ଜୁନଙ୍କୁ ଅବଗତ କରାଇଲେ । ଅର୍ଜୁନ ସେଥିରେ ସମ୍ମତ ହୋଇ ବିବାହ କଲେ ରାଜକନ୍ୟା ଚିତ୍ରାଙ୍ଗଦାଙ୍କୁ । ମଣିପୁରରେ ରହିଗଲେ ତିନିବର୍ଷ । ପୁତ୍ର ସନ୍ତାନଟିଏର ଜନ୍ମ ପରେ ସେ ମଣିପୁରରୁ ବିଦାୟ ନେବା ପୂର୍ବରୁ ଚିତ୍ରାଙ୍ଗଦାଙ୍କୁ ଆଶ୍ୱାସନା ଦେଇ କହିଲେ, “ହେ ମୋର ପ୍ରିୟତମା, ମତେ ଏବେ ବିଦାୟ ଦିଅ । ଏଇ ଆମର ପୁତ୍ର ବଭ୍ରୁବାହନ, ଏହାଙ୍କୁ ମୁଁ ରାଜା ଚିତ୍ରବାହନଙ୍କୁ ତୁମକୁ ଗ୍ରହଣ କରିଥିବାରୁ ଶୁଳ୍କ ସ୍ୱରୂପ ପ୍ରଦାନ କରୁଛି । ଇଏ ତୁମ ବଂଶର ରକ୍ଷା କରିବା ସହ ମଣିପୁର ରାଜ୍ୟର ଅଧିପତି ହେବ । ଯେତେବେଳେ କୁନ୍ତୀପୁତ୍ର ଯୁଧିଷ୍ଠିର ସମୁଦାୟ ପୃଥିବୀକୁ ଜୟକରି ରାଜସୂୟ ଯଜ୍ଞ କରିବେ, ସେ ସମୟରେ ସମସ୍ତ ରାଜା ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଆସିବେ । ତୁମ୍ଭର ପିତା ମଧ୍ୟ ସେଠାରେ ଉପସ୍ଥିତ ହେବେ । ତୁମ୍ଭେ ସେ ସମୟରେ ସେଠାକୁ ଆଗମନ କରି ଆମ୍ଭପୁରରେ ଆନନ୍ଦରେ ଅବସ୍ଥାନ କରିବ । ଏବେ ମୋଠାରୁ ବିଚ୍ଛିନ୍ନ ହେଉଥିବାର ଦୁଃଖରେ ପୀଡ଼ିତା ହୁଅନାହିଁ । ଏବେ ଆମ୍ଭର ପୁତ୍ର ବଭ୍ରୁବାହନଙ୍କୁ ତଥା ତୁମ୍ଭର ବଂଶରକ୍ଷକକୁ ଯତ୍ନରେ ପ୍ରତିପାଳନ କର ।”
ଏହି ପ୍ରକାରେ ପ୍ରବୋଧନା ଦେଇ ଅର୍ଜୁନ ପୁନଃ ତୀର୍ଥାଟନରେ ବାହାରିଲେ ।
– ତା’ପରେ–