ହେ ,ଜୀବଶ୍ରେଷ୍ଠ …
ମନୋଜ୍ଞ ମଣିଷ , ମନୁଙ୍କ ସନ୍ତାନ
ଦେଖିଚ କି ଈଶ୍ୱରଙ୍କୁ ?
ମନ୍ଦିରରେ ପୂଜା ପାଉଥିବା
କାଠ ପାଷାଣ ରେ ଗଢ଼ା
କେଉଁ ଦିଅଁଙ୍କ ଦିହରେ !
ଈଶ୍ୱର ତ ବିଦ୍ୟମାନ ସଦା
ମଣିଷ ପଣିଆର ସୁନ୍ଦର ହସରେ
ପଟିଏ ରୁଟି ପାଇଁ , ମୁଠାଏ ଦାନା ପାଇଁ
ମେହନତ କରୁଥିବା
ସରଳ ନିରୀହ ନିଷ୍କପଟ
ମଣିଷଙ୍କ ପେଟର ଭୋକରେ
ଆଖିର ଲୁହରେ ଆଉ
ଦେହରୁ ନିଗିଡି ପଡୁଥିବା
ଉଦାସ ଝାଳରେ ।
ଦେଖିଚ କି କେବେ ?
ଓହ୍ଲାଇ ଆସନ୍ତି କି ଈଶ୍ୱର
ଆଲ୍ଲା ହୋ ଆକବର ଡାକରେ
ମନ୍ତ୍ର ମୁଗ୍ଧ ହୋଇ ବିଶ୍ୱବ୍ରହ୍ମାଣ୍ଡ ରୁ
କୋଉ ମସଜିଦ୍କୁ
ଈଶ୍ୱର ତ ଏକତାର
ଅନନ୍ୟ ସ୍ୱରୂପ,ପୁଣି ସଚରାଚର
ଜୀବଜନ୍ତୁ ଆଉ ଦରଦୀ ମଣିଷଙ୍କ
ମନର ଠାକୁର !
କିଏ ଦେଖିଛନ୍ତି, ନା ଛୁଇଁଛନ୍ତି ?
ଖାଲି ଦେଖିବାର କେବଳ……
ମିଛ ବାହାସ୍ପଟ ମାରି ଚାଲିଛନ୍ତି !!
ଶୁଣିଛ କି …?
ବେଦ ପୁରାଣ , ଗୀତା ,ବାଇବେଲ
ଆଉ କୋରାନରେ
ଈଶ୍ୱରଙ୍କ ନାଁ ନେଇ
ମଣିଷକୁ ନେଇ ଭାଗ ଭାଗ କରିବାର
କେଉଁ ଚରମ ବାଣୀ ! ଈଶ୍ୱର ତ ଗଢି ନାହାନ୍ତି ଘର
ଧର୍ମ ନାମେ ,ଭିନ୍ନ ଭିନ୍ନ ମତବାଦରେ ?
ଜାତି ବର୍ଣ୍ଣ ନାମେ , ଉଚ୍ଚ ନୀଚ …..
ଆଉ ଛୁଆଁ ଅଛୁଆଁର ଭେଦାଭେଦରେ ।
ସଂପ୍ରଦାୟ ନାମେ , ଦଙ୍ଗା ଉପୁଜେଇବାର
ନାଲି ହୁକୁମତିରେ ?
ଈଶ୍ୱର ତ…
ତୋଳି ଆସୁଛନ୍ତି, ଯୁଗ ଯୁଗ ଧରି
ମାନବତାର ଜନ ସମୁଦ୍ରରେ
ଏକତାର ଘର !
ବାନ୍ଧିବାକୁ ଶାନ୍ତି , ମୈତ୍ରୀ , ପ୍ରେମ
ଆଉ ମଣିଷପଣିଆର ମହାସେତୁବନ୍ଧ !!