ସରୋଜ, ଅତୁଲ ବଳ, ଅରବିନ୍ଦ ଓ ବିଜୟ ବଳ
ଆମେ ଦିନେ ବୁଲି ବାହାରିଲୁ ସମୁଦ୍ର କୂଳ
ଆଉ କେଉଁଠିକ ନୁହଁ
ସ୍ୱପ୍ନର ସାତଭାୟା
ଏକ ଲୁପ୍ତମାଣ ଐତିହର କଙ୍କାଳ ।
ସରୋଜ ସମାଜସେବୀ , ସଙ୍ଗଠକ
ଅତୁଲ ବନଫୁଲର ସଂପାଦକ
ଅରବିନ୍ଦ ଗୋରୀ ଗପର ଗାଳ୍ପିକ
ବିଜୟ ବଳ କବି
ମୁଁ ତୁଛା ପର୍ଯ୍ୟଟକ ।
ଏଠି ଓଦାଲୁଗା ପିନ୍ଧି
ସୌନ୍ଦଯ୍ୟ ଲହଡ଼ି ଭାଙ୍ଗେ
ହେନ୍ତାଳ ବଣର ଓଦା ଉତ୍ତରୀରେ
କାଶୀ ,ବନ , ରାଇଗଛର ସୁଗନ୍ଧି
ଦେହସାରା ଛନ୍ଦି ହୁଏ ସରୀସୃପୀୟ ମୌନତା
ନିରୁତା ପ୍ରେମିକଟେ ପାଇଲେ
କାମିନୀ ନଈ କୁମ୍ଭୀର ପାଲଟି ଯାଏ
ପ୍ରେମ ହୁଏ ରକ୍ତମୟ
କହିଲେ ବନ ଫୁଲର ସମ୍ପାଦକ ।
ଅନେକ ଶିକ୍ଷିତ ଓ ସୁନ୍ଦରୀ ଝିଅ
ସଂପର୍କ ହୀନ ନିର୍ଜନତାରେ
ହୁଅନ୍ତି ଭିତର କନିକାର ‘ଗୋରୀ ‘ କୁମ୍ଭୀର
ନୀଳ ଜଙ୍ଗଲ ଘେରା
ଏ ଲବଣାକ୍ତ ଲବଙ୍ଗ ଦ୍ଵୀପରେ
ନୀଳ ନିର୍ଜନମୟୀ ଗୋରୀ ଗୀତ ଗାଏ
ପୁରୁଷର ଯୌନଦମ୍ଭ ଭାଙ୍ଗିଯାଏ
ଯୌନ ନିର୍ଜନ ଗୋରୀମାନେ କୁମ୍ଭିରିଣୀ ପାଲଟି ଯାଆନ୍ତି
ଯୋଡ଼ିଲେ ଗାଳ୍ପିକ ଅରବିନ୍ଦ ଧଳ ।
କଥା ସେଠି ନାହିଁ ବନ୍ଧୁ
ସାତଭାୟା ଯିବା ରାସ୍ତାରେ ତମେ ଭେଟିବ
ଅନେକ ରାଜନୈତିକ ଛଳନାର ବାଲିଘର
କେବେ ବଗପଟିଆତ ଓକିଲପାଳ
ସବୁଠୁ ପ୍ରତାରଣାର ପୋଷ୍ଟର ।
ସମୁଦ୍ର ମଝିରେ ଶୋକ ସଭାରେ ବସିଛନ୍ତି ଛଅ ଭାଇ
କୁଟା ଖିଅରେ ଅଟକିଛି
ଶେଷତମ ଭାଇର କଙ୍କାଳ
କ୍ରୋଧରେ କହିଲେ ସରୋଜ ବାବୁ
ଧେତ, ସବୁ ଶଳା ଚୋର ।
ରାତି ପାହିଲା ବେଳକୁ ଏଠି
କିଶୋରୀ ଝିଅର କାନି ଟାଣିନିଏ କୁମ୍ଭୀର
ଭାତଆଟିକା ଭାସେ ବଙ୍ଗୋପସାଗରରେ
ଦେଇପିଣ୍ଡିରେ ଲହଡ଼ା ମାରେ ସମୁଦ୍ର
କୋଳପୁଅ ବାଲିରେ ଖେଳୁ ଖେଳୁ
ଖସିଯାଏ ସମୁଦ୍ର କୂଳକୁ ।
ଏଠି ଲୁହରେ ସୂର୍ଯ୍ୟାସ୍ତ ହୁଅ ପ୍ରତିଦିନ
ବିପଯ୍ୟାର ବଂଶୀ ବାଜେ ଦିଗ୍ବଳୟରୁ
କ୍ରମଶଃ ଛେଉଣ୍ଡ ହୁଏ ଗୋଟେ ସବୁଜ ଗାଆଁ
ଯନ୍ତ୍ରଣାର ଯମଦୂତ ସାଜି
ସମୁଦ୍ର ଭିଡ଼ିନିଏ ସମସ୍ତଙ୍କୁ
କାଳ କାଳ , ସାରା କାଳ
ଲୁହ ଥମ ଥମ ଦିଶିଲେ
କବି ବିଜୟ ବଳ ।
ଏବେ ଭାବୁଚି
ଆଉ ଯିବା କଣ ଠିକ ହେବ?
ମୁଁ ତୁଛା ପଯ୍ୟଟକ
ମୋତେ ଯଦି ପଚାରି ଦିଏ
ପଞ୍ଚୁବରାହୀ ମନ୍ଦିର ତଳେ ବସିଥିବା ବୁଢ଼ୀ
ହାତୀ , ଘୋଡ଼ା
ଘରବାଡ଼ି ଦେବୁ କହିଥିଲୁ ପରା
କଣ ଦେଖିବାକୁ ଆସିଚୁରେ
ତୋତେ କିମ୍ଭୀର ଖାଉରେ ସବାଖିଆ
ମୋ ଯିବା କଣ ଠିକ୍ ହେବ ?
ମୋ ଆଗରେ ଏକ ବିଖୁବ୍ଧ ସମୁଦ୍ର
ରକ୍ତନଦୀର ସଇରାତ
କୁମ୍ଭୀର ପିଠିରେ ବସିଚି ଗୋଟିଏ ନିରୀହ ଗାଆଁ
ଜଳସମାଧୀ ନେବ ଏ ମାଟି ଚାଖଣ୍ଡ
ଖସିପଡୁଚି କାଦୁଅ ଭିତରକୁ ମୁଁ
ପହଁରା ଶିଖି ନ ଥିବା ମୁଁ ଏକ
ନିରପରାଧୀ ସାତଭାୟା ।
ଓଃ ! ମୋତେ ଯିବାକୁ ହେବ ।
