ଜରା ନିବାସରେ ଦିନ କାଟୁଅଛି
ମୋ ବିଶିକେସନ ବାଟକୁ ଚାହିଁ
ପ୍ରତିମାସ ସିଏ ଆସିବ କହିକି
ଏତେ ଦିନ ଯାଏ ଆସୁନି କାହିଁ ?
ବରଷେଠୁ ବେଶୀ ହେଲାଣି ଦେଖିନି
ତାହାର ଚନ୍ଦର ଉଦିଆ ମୁହଁ
ବଞ୍ଚିବାକୁ ଇଚ୍ଛା ଥିଲେବି କେମିତି
ପୁଅବୋହୂ ବିନା ବଞ୍ଚିବି କୁହ !
ମାଆ ତା’ ଯାଇଛି ଏକାକରି ମତେ
ପାଞ୍ଚ ବରଷଠୁ ହେଲାଣି ବେଶୀ
ଗୋଟିଏ ଛୁଆକୁ ମଣିଷ କରିଛୁ
ଭୋକ ଉପାସରେ ହୋଇଛୁ ପେଷି ।
ସେଇଛୁଆ ଆଜି ଅଫିସର ହୋଇ
ଭୁବନେଶ୍ୱରରେ କରିଛି ଘର
ମଳିମୁଣ୍ଡିଆ ମୁଁ ଗାଆଁର ମଣିଷ
ସେଥିପାଇଁ ବୋଧେ ଭାବୁଛି ପର ।
ଏତେବଡ଼ ଏଇ ଜରା ନିବାସରେ
ନିଜର ପରିକା ଲାଗୁନି କେହି
ସବୁ ବସିଛନ୍ତି କୋହ ଚାପିରଖି
ମୁହଁରେ କାନୀ କି ଗାମୁଛା ଦେଇ ।
