କରିବିନି ପ୍ରତିବାଦ
ହେ ପ୍ରିୟଜୀବନ ! ହେ ମୋର ପୃଥିବୀ ! !
ଯାହା ବି ଦେଇଚ ମୋତେ
ସେତିକିରେ ମୁଁ ଯେ ଚିର ଅଭିଭୂତ
କେମିତି ଭୁଲି ବି ସତେ ।
ନାହିଁ ମୋର ଅବସାଦ
ସରଗର ସୁଖ ପାଇଲିନି ବୋଲି
କରିବିନି ପ୍ରତିବାଦ ।।
ପଚାରେ ନିଜକୁ ନିଜେ
ମୋ ଆଖି ନଈରେ ବନ୍ୟା ଆସିଲେ
ଧୈର୍ଯ୍ୟର ସେତୁ ଭାଜେ
ମୋ ମନ ଗଗନେ ଜହ୍ନ ଉଇଁଲେ
ବିରସ-କାଳିମା ହଜେ !
ଅନ୍ତରେ ଯାହା ଖୋଜେ,
ସବୁ ମିଳିବା କି ସମ୍ଭବ ସତେ
ପଚାରେ ନିଜକୁ ନିଜେ ।।
ସାନ୍ତ୍ୱନା ମୋର
ଦୁର୍ଭାଗ୍ୟ ମୋର ପଛରେ ଗୋଡ଼ାଏ
ଆଉ ମୋ ପଛରେ ନାହାନ୍ତି କେହି
ସାନ୍ତ୍ୱନା ମୋର ପଛରେ ତା’ହେଲେ
ଜଣେ ହେଲେ କିଏ. . . ଅଛି ତ ରହି ।