ଗଳ୍ପ

ତୁମ ପାଇଁ ଚିଠିଟିଏ

Omm Prasad Sahoo's odia story Tuma Paain Chithitie

ତମର ମୋର ସମ୍ପର୍କର ଦୂରତା ଏତେ ଗଭୀର ଥିଲା ଯେ, ନା ମୁଁ କେବେ ଏ ଦୂରତା ଭାଙ୍ଗିପାରିଲି । ନା ତମେ କେବେ କରିବାକୁ ଦେଲ, କାରଣ ଆମେ ଦୁଇଜଣ ଯେଉଁ ମୋଡ଼ରେ, ଥିଲେ, ସେଠୁ ଆଗୁ ଆଉ କିଛି ବାଟ ନ ଥିଲା ।

ତୁମ ପାଇଁ ଚିଠିଟିଏ

ସକାଳୁ ସକାଳୁ ଆଖି ଖୋଲି … ଆଖିକୁ ମକଚି ମକଚି ରୋଷେଇ ଘରକୁ ଯିବାଥିଲା ପ୍ରତିଦିନର କାମ । କାରଣ ଚା ବନେଇବା ବାଲା ଜଣେ ଓ ପିଇବା ବାଲା ବି ଜଣେ ।

ରାଜୀବ ପାଇଁ ଏ ଦୁନିଆରେ ସବୁଠୁ କଷ୍ଟ କାମଥିଲା ସକାଳର ଚା ବନେଇ ପିଇବା । ଚା କରି ଖବର କାଗଜ ଦେଖୁଥିଲା ବସିକି, କି ହଠାତ୍ କିଛି ଦେଖି ନିଜକୁ ନିଜେ କହିଲା, ଆଜି ତ ୧୭ ତାରିଖ ।

ଜଲ୍ଦି ଜଲ୍ଦି ଖବରକାଗଜକୁ ସାଇତି କରି ରଖି ଓ ଚାକୁ ଅଧାପିଇ ଗାଧୋଇବା ପାଇଁ ଚାଲିଗଲା । ଗାଧୋଇ ଆସି ସଜପଟ୍ଟା ହେଇଘରୁ ବାହାରି ମନ୍ଦିର ଗଲା ।

ରାଜୀବ ବର୍ଷକରେ ଗୋଟିଏ ଦିନ ହିଁ ମନ୍ଦିରକୁ ଯାଏ । ମୁଁ ପଚାରିବାରୁ କହେ, “ଜଣକ ପାଇଁ ପ୍ରାର୍ଥନା କରିବାକୁ ଆସେ ଏହିଦିନ …, ନ ହେଲେ ଭଗବାନ୍‌ଙ୍କ ସହ ମୋର ପଡ଼େ ନାହିଁ ।”

କିଛି ସମୟ ମନ୍ଦିରରେ ପ୍ରାର୍ଥନା କରି ସେଇଠୁ ପଳେଇଲା । ପାଖରେ ଥିବା ଏକ ବଗିଚାକୁ ଯାଇ ସେଠାରେ ଗୋଟିଏ କଣବାଲା ବେଞ୍ଚ୍‌ରେ ଯାଇ ବସିଲା । ସେଠି ବସିକି ଦେଖିଲା ସୁନ୍ଦର ସୁନ୍ଦର ଫୁଲଗୁଡ଼ିକୁ ଆଉ ଲେଖିବାକୁ ଲାଗିଲା, “ଗୋଟେ ଚିଠି ତା’ ପାଇଁ” ।

ସ୍ନେହର ପ୍ରିୟା,

ଆଜି ଦିନର ବହୁତ ଶୁଭେଚ୍ଛା ତମକୁ, ଭଗବାନ କରନ୍ତୁ କି, ତୁମେ ଶହେ ବର୍ଷ ବର୍ଷ ଆଉ ଭଲରେ ରୁହ ।

ମନେ ଅଛି ତମର, ଆମେ ଆଜିର ଦିନରେ ହିଁ, ପ୍ରଥମ ଥର ପାଇଁ ଦେଖା ହୋଇଥିଲେ, ଏହି ଜାଗାରେ । ମୁଁ ଜାଣିଛି ତମର ମନେଥିବ । କିଛି କଥା ଅଛି ଯାହା, ମୁଁ ତମକୁ କେବେ କହିପାରିନି …, ଆଜି ତମକୁ କହିବାକୁ ଯାଉଛି, ସେଥିପାଇଁ ଭାବିଲି ଆଜି ଗୋଟିଏ ଚିଠି ତମକୁ ଉପହାର ଦେବି ।

ତମେ ବହୁତ ଦୂରରେ ଅଛନା ମୋ ଠାରୁ, … ସତ କହିବି ତ, ମୁଁ ଜାଣି ନାହିଁ ତମେ ଏବେ କେଉଁଠାରେ ଅଛ, ନା ସହରର ଜଣା ଅଛି । ନା ଦେଶର …, କିନ୍ତୁ ମୁଁ ଏକଥା ଜାଣିଛି ତୁମେ ମୋ ମନରେ ଅଛ, ଏହି ଠିକଣା ତ ଦେଇଥିଲ ତମେ ମୋତେ …, କାଲି ବି ଏଇଠି ଥିଲ । ଆଉ ଆଜି ବି ।

ପ୍ରିୟା…, ତମେ ଜାଣିଛ ଠାକୁର ଗଢ଼ିଥିବା ସବୁ ଜିନିଷ ମଧ୍ୟରେ ତମେ ସବୁଠାରୁ ସୁନ୍ଦର । ତୁମର କଥା, ତୁମର ଆଖି, ତୁମର ସବୁକିଛି ବହୁତ ସୁନ୍ଦର…

ତମର ମୋର ସମ୍ପର୍କର ଦୂରତା ଏତେ ଗଭୀର ଥିଲା ଯେ, ନା ମୁଁ କେବେ ଏ ଦୂରତା ଭାଙ୍ଗିପାରିଲି । ନା ତମେ କେବେ କରିବାକୁ ଦେଲ, କାରଣ ଆମେ ଦୁଇଜଣ ଯେଉଁ ମୋଡ଼ରେ, ଥିଲେ, ସେଠୁ ଆଗୁ ଆଉ କିଛି ବାଟ ନ ଥିଲା । ନୂଆ ବାଟ ଯଦି ବି ହୋଇଥାଆନ୍ତ, ତ କେତେ ସମ୍ପର୍କ ଭାଙ୍ଗିଲା ପରେ, ନା, ତମେ ଏଇଟା ଚାହିଁଲ, ନା ମୁଁ … ହସି ହସି ଦୁଇଜଣ ଅଲଗା ହୋଇଥିଲେ, କିନ୍ତୁ କେହି କାହାକୁ କେବେ ଭୁଲିପାରିବୁ ନାହିଁ । କାଲି ବି ଆମେ ଏକାଠି ଥିଲେ, ଆଉ ଆଜି ବି …,

ପ୍ରିୟା, ତମ ସହିତ ବିତେଇଥିବା ସବୁ ସ୍ମୃତି ମୋର ମନେଅଛି । ତମେ ଆଜି ବି ମୋ ସହିତ ପାଦରେ ପାଦ ମିଶାଇ ଚାଲ, କିନ୍ତୁ ପାଖରେ ନାହିଁ ମୋର…, ଜାଣିଛ ମୋର ଗୋଟିଏ ଦୁନିଆଁ ଅଛି, ସପନର ଦୁନିଆଁ, ସେଇଟା ମୋର ଛଡ଼ା ଆଉ କାହାକୁ ଦେଖାଯାଏନି । ବହୁତ ସୁନ୍ଦର ସେ ଦୁନିଆଁ, କେବଳ ଦୁଇ ଜଣଙ୍କର …, ଜଣେ ତମେ ଆଉ ଜଣେ ମୁଁ…, ତମେ ଏଠି ମୋ ସାଙ୍ଗରେ ଅଛ ଆଉ ପାଖରେ ବି, ଆଉ ଜାଣିଛ ଏଠି ଅଲଗା ହେବାର କୌଣସି ଡର ନାହିଁ ମୋ ମନରେ ।

ପ୍ରିୟା, ଆଜି ବି ସେହି ଗିଫ୍ଟ ଆଣିଛି, ତମ ପାଇଁ…, ଯାହାକି ସବୁବେଳେ ତମ ପାଇଁ ଆଣେ, କିଛି ଚକୋଲେଟ୍ ଆଣିଛି ତମ ପସନ୍ଦର । ଛୋଟ ପିଲାଙ୍କୁ ଚକୋଲେଟ୍ ଦେଇ, ଆଜି ତମ ଜନ୍ମଦିନ ପାଳନ କରିବି । ସତ କହିବି ତ, ମୁଁ ବି ଆଜି ମୋ ଜନ୍ମଦିନ ପାଳନ କରେ । ଏହି ତାରିଖ ମୋ – ଜୀବନର ଗୋଟିଏ ଖାସ୍ ଦିନ … ବହୁତ ଖାସ୍… ।

ପ୍ରିୟା ବେଳେବେଳେ ଇଛା ହୁଏ, ତମ କଥା ଜାଣିବାକୁ ଯେ, ତମେ କେମିତି ଅଛ, ହେଲେ ପଚାରିବି କାହାକୁ ଜାଣିନାହିଁ । ମୁଁ ଜାଣିଛି, ତମେ ଆଇନା ଆଗରେ ବସି ହଜିଯାଉଥିବ ବିତିଯାଇଥିବା ସ୍ମୃତିରେ, ଆଖି ତମର ଛଳଛଳ ହେଇଯାଉଥିବ କିନ୍ତୁ ସବୁ ପରିସ୍ଥିତିରେ ତମେ ହସିବ ଏଇଆ କଥା ଥିଲା ତମର, ଆଉ ଆଜି ବି ସେଇ କଥା ନିଭାଉଛୁ ।

ତମେ ଆସିଲ, ଜୀବନରେ ଭଲ ପାଇବା ହେଲା, ଆଉ ତା’ପରେ ଅଲଗା ହେଲେ …, କଥା ତ ଏତିକି, କିନ୍ତୁ ଜୀବନ ବଦଳିଗଲା, ତମ ପାଖରେ ସବୁ ଥାଇ ମଧ୍ୟ ମୋତେ ଖୋଜୁଛ । ଆଉ ମୁଁ ସବୁ କିଛି ଛାଡ଼ି ତମକୁ ଖୋଜୁଛି … ନା, ତମେ ମୋତେ ମିଳିଲ ନା, ମୁଁ ତମକୁ କିନ୍ତୁ ଭଲ ପାଇବା ଆଜି ବି ଅଛି ଆଉ କାଲିବି ରହିବ । ଜନ୍ମଦିନର ବହୁତ ଶୁଭେଚ୍ଛା ।

ପ୍ରିୟା …
ତମର
ରାଜୀବ,

ରାଜୀବ ଉଠିକି ଚାଲିଲା ନିଜ ଘର ଆଡକୁ, ଚିଠିଟାକୁ ପବନ ଉଡ଼େଇନେଲା…, ବୋଧେ ପ୍ରିୟା ପାଖରେ ପହଞ୍ଚାଇବାକୁ … ଛୋଟ ପିଲାମାନେ ଚକୋଲେଟ୍ ଖାଉଥିଲେ ଆଉ ରାଜୀବ ମନେ ପକାଉଥିଲା, ନିଜ ଭଲ ପାଇବାକୁ …

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top