ଚାରିଚଉତିଆ ଜୀବନଟା ମୋର
ଜନମ ବେଳରୁ ଜାଣିଛି
ଥାକଥାକ ଦୁଃଖ, ବ୍ୟଥା ବେଦନାର
ଯନ୍ତ୍ରଣାକୁ ମିଠା ମଣିଛି,
ରାତିର ଶେଫାଳୀ ଫୁଟିପୁଣି ମୁଁ
ସକାଳ ଖରାରେ ଝରିଛି
କେମିତି କହିବି ହୃଦୟର କଥା
କେତେ ସ୍ମୃତି ଏଠି ଭରିଛି ।
ନଦୀ ହୋଇକେବେ ଆକୁଳେ ଧାଇଁଚି
ପାଇ ସାଗରର ସଂଧାନ
ନିଦାରୁଣ ସେଇ ପାଷାଣ ଧକ୍କାରେ
ଭୋଗିଚି ମଉନ କଷଣ ,
ପକ୍ଷୀହୋଇ କେବେ ଉଡିବି ଭାବି ମୁଁ
ସ୍ୱପ୍ନର ସଉଧ ତୋଳିଛି
ଡେଣାକାଟି କିଏ ପଂଜୁରୀରେ ରଖି
ଖିନ୍ନିଭିନ୍ନି ମତେ କରିଛି ।
ଖୋଲା ଆକାଶର ନିର୍ମଳ ପବନ
ଛୁଇଁନାହିଁ କେବେ ମୋଦେହ
ସକାଳ ସୂର୍ଯ୍ୟର ସ୍ନିଗ୍ଧ ରଶ୍ମୀରେଣୁ
କରିନାହିଁ ମତେ ନିର୍ମୋହ ,
ରାତି ଦିନ ପରା ମୋପାଇଁ ସମାନ
ସୁଖ , ଦୁଃଖ ଦୁଇ ସମ୍ପତ୍ତି
କିଏ ଧରୁ ଅବା କିଏ ଦୂରେ ଯାଉ
ନାହିଁ ମୋର କିଛି ଆପତ୍ତି ।
ଦେହର ଦୋଳିରେ ଝୁଲୁଛି ଜୀବନ
କାଳଝଂଜା ବହେ ପଛରୁ
ଶେଷ ଅଭିନୟ ଚାଲିଛି ଏବେ ତ
ଜଳେ ବେଶି ଲିଭା ଆଗରୁ ।