ଝରକା ଆର ପାଖେ,
ବହୁଥିବା ଥିରି ଥିରି ଅମାନିଆ ବାଆ,
ଗ୍ରୀଲ ଫାଙ୍କ ଦେଇ କାନରେ ଫୁଙ୍କି ଯାଉଥିଲା,
ସଙ୍ଗେ ବୋହି ଆଣିଥିବା,
ଦୂର ମନ୍ଦିରରୁ ସଞ୍ଜ ଆଳତୀ ର ଶବ୍ଦ,
ଆଉ ପୁଣି ମସଜିଦ ମୀନାରରୁ ଧୀର ନିମନ୍ତ୍ରଣ ଟିଏ,
ମତେ ଅବଗତ କରାଇବାକୁ ରବିର ଅସ୍ତ ଗମନ ।
ଝରକା ଆର ପାଖେ,
କଜଳ ପାତିଆ ବାଦଲ ଖଣ୍ଡ ଗୁଡ଼ିକରେ,
ଲୁଚକାଳି ଖେଳୁଥିଲେ,
ସହସ୍ର ଜଣା ଅଜଣା ଗ୍ରହ ନକ୍ଷତ୍ର ମାନେ,
ସତେ ଯେପରି ମାଳ ମାଳ ଖଦ୍ୟୋତ,
ଆକାଶରେ ଡେଣା ମେଲି ଘୁରି ବୁଲୁଥିଲେ,
ରାତ୍ରି ଆଗମନରେ ହୋଇ ଆନନ୍ଦ ବିଭୋର ।
ଝରକା ଆର ପାଖେ,
ଦଣ୍ଡାୟମାନ ସୁଉଚ୍ଚ ଅଟ୍ଟାଳିକା ମାନ,
ଦୁଲୁକୁ ଥିଲେ ନୃତ୍ୟ ଗୀତ ଆସରରେ,
ଉଜ୍ଜ୍ୱଳ ମୟ ଦିଶୁଥିଲେ ,
ରଙ୍ଗ ବେରଙ୍ଗର ଆଲୁଅରେ,
ସେହି ତେଜୀୟାନ ଆଲୋକର,
ପ୍ରତିବିମ୍ବ ଆଢ଼ୁଆଳରେ ଲୁଚି ଯାଉଥିଲା,
ହସ ହସ ଚେହେରା ପଛରେ ଥିବା ଯନ୍ତ୍ରଣା ସବୁ ।
ଝରକା ଆର ପାଖେ,
କେତେ ଯେ ଟଳ ଟଳ ପାଦ ,
ଢଳ ଢଳ ରକ୍ତିମ ଆଖି ଡୋଳା,
ବିଷାକ୍ତ ଦେଶି ବିଦେଶୀ ପାଟିର ଦୁର୍ଗନ୍ଧ,
ଛାରଖାର କରି ପକୋଉଥିବା ଅଗଣିତ ସଂସାର,
ସେ ସଂସାର ରେ ଛଟପଟ କୋମଳ ଶୈଶବ,
ଅବସାଦ ଗ୍ରସ୍ତ ହୃଦୟ ଓ ସିନ୍ଥିର ସିନ୍ଦୂର ।
ଝରକା ଆର ପାଖେ,
ରାତିର ଅନ୍ଧକାରେ ,
ସୂର୍ଯ୍ୟ ର ପ୍ରଖରତାରେ ସାଧୁବାଦର ଡିଣ୍ଡିମ ପିଟୁଥିବା,
କେତୋଟି ମୁଖା ପିନ୍ଧା ଚେହେରାର,
ସାଦରେ ପରତ ଖୋଲୁଥିବା,
ସହର ତଳ ବଦନାମ ଗଳିର ସେ,
ସଜ ଫୁଲର ମହ ମହ ବାସ୍ନା ଫିଙ୍ଗୁଥିବା ଶୀତଳ କୋଠରୀ ।
ଝରକା ଆର ପାଖେ,
ରାସ୍ତା କଡ ବତି ଖୁଣ୍ଟ ତଳେ,
ଆଶ୍ରୟରତ ବାସହୀନ ବୁଲା ବିକାଳୀ ଗଣ,
ଟଲି ତଳ ପାଲରେ ବିକ୍ରୟ ସାମଗ୍ରୀ ଢାଙ୍କି ରଖି,
ପଟା ପଲଙ୍କ ଉପରେ ନିଘୋଡ଼ ନିଦରେ,
ଉପହାସ କରୁଥିଲେ,
ମୁଦ୍ _ଗର, ହୋଟେଲ୍ ଓ ପଥିକ ଆଶ୍ରୟସ୍ଥଳୀ ଗୁଡିକୁ ।
ଝରକା ଆର ପାଖେ,
ସ୍ୱର୍ଣ୍ଣିମ ଚାଦର ବିଛେଇ ଦେଲା ସୂର୍ଯ୍ୟ,
ଲୁଚେଇ ଦେଲା ସବୁତକ ଅନ୍ଧକାର ତଳ ଆବର୍ଜନା,
ଫୁଟେଇ ଦେଲା ମନୋମୁଗ୍ଧକର କମଳ,
ପାଖୁଡ଼ା ପାଖୁଡ଼ା ରେ ଭରିଦେଲା ଆଶାର ଆଲୋକ,
ରଜନୀର ରାଜତ୍ଵ ଫିକା ପଡ଼ିଗଲା ଦିବସ ଜ୍ୱାଳାରେ ।