ଡହକ ବିକଳ ଖରାରେ
ଶିଝିଯାଉଛି ଦେହ ମନ
ସରଗ ସୁଖର ପ୍ରଲୋଭନ
ଗୁପତେ ଶୁଣଉଛି
ଲମ୍ପଟ-ଶୀତଳ ପବନ ।
ମନକୁ ଆୟତ୍ତ କରିବା ମନ୍ତ୍ର
ଜପି ଚାଲିଛି ସାରା ରାତି
କେହି ଜଣେ ମନକୁ ମୋହିବା ପାଇଁ
ଦୃଶ୍ୟମାନ ହେଉଛି ନିତିପ୍ରତି ।
ଯୋଗିନୀ କି ନାରୀ ନୁହଁ !
ଦେହ ଥିଲେ ମନ ଅଛି, ଦାହ ବି ଅଛି
ପାପପୂଣ୍ୟର ତର୍ଜମା ତ
ମୋତେ ଭଲଭାବେ ଜଣାଅଛି
ସେପାଇଁ ପ୍ରଣୟୀ ହୋଇ ମୁଁ
ବୈରାଗ୍ୟ ଖୋଜୁଛି ।
ଜଣେ ଅତି ପ୍ରିୟ ମଣିଷର
ସଙ୍ଗ ଲାଭ ପାଇଁ
ପ୍ରେମିକା ପଣେ ସାଧନା କରୁଛି
ଏବଂ
ଅକସ୍ମାତ ମନ ଭାଙ୍ଗିଗଲେ
ସଂସାର ଆଗରେ ଠିଆ ହେବାକୁ
ଯୋଗିନୀ ସାଜିଛି ।
