ସରଗକୁ. . .
ଶିଡ଼ି ବାନ୍ଧିଦେବି ବୋଲି
କହିବାରୁ,
ପୋଡ଼ିଜଳି ପାଉଁଶ ପାଲଟିଗଲା
ସ୍ୱର୍ଣ୍ଣଲଙ୍କାପୁର ।
ଭାଙ୍ଗି ଚୂରମାର ହୋଇଗଲା
ଦଶାନନର,
ସକଳ ଐଶ୍ୱର୍ଯ୍ୟ, ଗର୍ବ, ଅହଙ୍କାର ।
ସୂଚ୍ୟଗ୍ରେ ମେଦିନୀ
ଦେବି ନାହିଁ ବୋଲି କହିବାରୁ
ଛିଡ଼ିଗଲା, କୌରବ କୂଳର
ଯେତେ ସବୁ ଚେର ମୂଳ ।
ଭାଙ୍ଗିଗଲା, ମହାମାନୀ ଦୁର୍ଯ୍ୟୋଧନର
ପ୍ରଚଣ୍ଡ ଶୌର୍ଯ୍ୟ ଆଉ. . .
ଦମ୍ଭର ହସ୍ତିନାପୁର ସିଂହାସନ ।
ବନ୍ଦୀଶାଳାର ଲୌହ କବାଟ
ଫିଟିବ ନାହିଁ ବୋଲି
କହିବାରୁ, ଖୋଲିଗଲା. . .
ପ୍ରବଳ ପ୍ରତାପୀ କଂସର
ସବୁତକ ମୃତ୍ୟୁର ରୁଦ୍ଧଧାର ।
ଆଉ ତମେ. . .
କୋଉ ଗର୍ବ, ଅହଙ୍କାର, ଶୌର୍ଯ୍ୟ
ଆଉ ଦମ୍ଭର କଥା,
କହୁଛ ହେ, ସର୍କାର !
ଖସିଯିବ, ସରଗକୁ ଲମ୍ୱିଥିବା
ତମ ଶାସନର ଶିଡ଼ି,
ଧସିଯିବ ତମ ଲୋଭ ଆଉ
ସ୍ୱାର୍ଥର ଈପ୍ସିତ ସିଂହାସନ
ଖୋଲିଯିବ ତୁମ,
ବନ୍ଦୀଶାଳାର ଗୁପ୍ତ କବାଟ
ଆଉ ଫିଟିଯିବ,
ଜଳ, ଜଙ୍ଗଲ, ଜମି, ଡାଲି, ପାଣି
ପୁଣି କୋଇଲାର
ଗୋଟି ଗୋଟି କଳା କାରନାମାର
ଗହନ ଗୁମର ଗଣ୍ଠି ।।