କଚେରୀରୁ କାଳିଗଳି
ସାଇକେଲ ଚକରେ ପବନକୁ ଖୁନ୍ଦି
ପ୍ରତିଦିନ ଦୌଡ଼ୁଥିବା ଏକ ଅସହାୟ ତାରୁଣ୍ୟ
ମନୋରଂଜନ ।
ଦିନେ ମୁଠାଏ ଭାତ
ପାଲଟିଗଲା ହାବୁକାଏ ରକ୍ତ
ଭାତକଂସାରେ ବୋଉର ଭଙ୍ଗା ପାଣିକାଚ
ପାଠପଢ଼ା ପାଇଁ ବୋଉ ବିକିଥିଲା ସୁନା ଖଡ଼ୁ
ଓକିଲାତି ପାଇଁ କଲିକତି ନାକଗୁଣା
ଏବେ ଦେହର ସବୁ ଶୂନ୍ୟସ୍ଥାନ ରକ୍ତବର୍ଣ୍ଣ
ବୋଉ ଆଖିର ଲୁହ ଲାଲ୍
ଧିକ୍ ତୋତେ ମନୋରଂଜନ ।
ଆଜିଯାଏ କ’ଣ କରିଛି ସିଏ ?
ବାପା ଏବେ ସୁଅ ମୁହଁର ପତର
ବୋଉ ଧୁମାଳ ଉଡ଼େଇ ଦେଇଥିବା ଚାଳ ଛପର
ସବାରୀଏ ଲୁହ ନେଇ ଭଉଣୀ ଯାଇନି ଏଯାଏ ଶାଶୁଘର
ଭାଇ ଭାଗର ଆଁ ଭିତରେ ବନ୍ଧା ପଡ଼ିଛି ଧାନ ବିଲ ।
ମନୋରଂଜନ ବି.ଏ.ଏଲ୍.ଏଲ୍.ବି
କଳାଧଳା ଖେଳରେ
ହୋଇ ପାରିଲାନି ଓକିଲ
କଚେରୀ ବାରଣ୍ଡାର କୃଷ୍ଣଚୂଡ଼ା ସିଏ
ଅସହାୟ ଜନତାର ଏକମାତ୍ର ସ୍ଲୋଗାନ୍
ମନୋରଂଜନ, ମନୋରଂଜନ ।
କଚେରୀରୁ କାଳିଗଳି ପ୍ରତିଦିନ
ସାହିତ୍ୟ, ଧର୍ମ, ସେବା, ସଂଗଠନ
କଚେରୀ, ସତ୍ୟପାଠ, ପ୍ରବଚନ
ସବୁଠି ମନୋରଂଜନ ।
ଏତେ ଆଶିର୍ବଚନ ସଂଚି ସଂଚି
ମନର ଆକାଶରେ ଉଇଁଲାନି ଜହ୍ନ
କେଉଁ ତନୁପାତଳୀର ତତଲା ଓଠରେ
ଲେଖା ହେଲାନି ତା ନାଁ ।
ଏବେ ସେ ଇଚ୍ଛା କରେ
ତାକୁ ଦିଆଯାଆନ୍ତା ଯଦି ନିଆଁ ହୁଳା
ଲଗାଇ ଦିଅନ୍ତା ସବୁ ନାଲି ଫାଇଲିରେ
ଭାଙ୍ଗି ଦିଅନ୍ତା ଦୁର୍ନିତୀର ଦୁର୍ଗ
ସାଧାରଣ ସଭା କରନ୍ତା କଚେରୀ ଛକରେ ।
ମୋର ମନେ ହୁଏ ମନୋରଂଜନର ଶୂନଗାଡ଼ି
ଅବିକଳ ମାଗୁଣିର ଶଗଡ଼
ଅପରାଧ, ଅପିଆମିଶରଣ
ବଜାରବାଦ ବିପକ୍ଷରେ
ଏକ ମାତ୍ର ସ୍ୱାଭିମାନର ଚିହ୍ନ ।
ଆପଣଙ୍କ ଆଖପାଖରେ
ଅଛିକି ମନୋରଂଜନ ?
ଲମ୍ବି ଯାଉଥିବା ଏକ ଶୋକର ସକାଳ ଭୋକର ଭୂଗୋଳ
ମନୋରଂଜନ, ମନୋରଂଜନ ।