ମାଆ,
ମୁଁ ଏବେ ବହୁତ୍ ବଡ଼ ହୋଇ ଗଲିଣି,
ଏବେ ଆଉ ତୋତେ ମୋ ପାଇଁ ବେଶୀ କଷ୍ଟ
କରିବାକୁ ପଡୁନି।
ରାତି ଅନିଦ୍ରା ହେବାକୁ ପଡୁନି,
ଔଷଧ ଖୋଇଦେଇ ଅନେଇ ବସିବା କୁ ପଡୁନି,
ମଳ, ମୂତ୍ର ସଫା କରିବାକୁ ପଡୁନି,
ମୋ ଲୁଗାପଟା ଧୋଇବାକୁ ପଡୁନି,
ମୋ ସିଲଟରେ ଅ ଆ ଶିଖେଇବାକୁ ପଡୁନି,
ମୋ ପାଇଁ ସାର୍ ଙ୍କ ପାଖରେ ଅଭିଯୋଗ
କରିବାକୁ ପଡୁନି,
ମୋ ପରୀକ୍ଷା ପାଇଁ ଠାକୁରଙ୍କ ପାଖେ ଗୁଆ
ବସେଇବା ଦରକାର ପଡୁନି,
ମୁଁ ସ୍କୁଲ ରେ କଣ କରେ ସାଙ୍ଗ ମାନଙ୍କୁ
ପଚାରିବାକୁ ପଡୁନି,
ମୁଁ ସ୍କୁଲ ରୁ ଫେରିବା ବାଟକୁ ଅନେଇ
ବସିବାକୁ ପଡୁନି।
ମାଆ,
ମୁଁ ଏବେ ବହୁତ୍ ବଡ଼ ହୋଇ ଗଲିଣି।
ମୋ ପସନ୍ଦର ଖାଇବା ତୋତେ ଆଉ
ତିଆରି କରିବାକୁ ପଡୁନି,
ମୋର ଅଳି ଅଝଟ ଆଉ ତୋତେ
ସହିବାକୁ ହେଉନି,
ଦୁଷ୍ଟାମୀ ପାଇଁ ଆଉ ବେତ ଧରି
ମୋ ପଛରେ ଗୋଡାଇବାକୁ ପଡୁନି,
ନିଦ ନ ଆସିଲେ ନାନାବାୟା ଗୀତ
ଢୁଳେଇ ଢୁଳେଇ ଗାଇ ବାକୁ ପଡୁନି,
ମୁଁ ଏତେ ବଡ଼ ହୋଇ ଗଲିଣି ଯେ
ଏକ ପ୍ରକାର ତୋର ଆବଶ୍ୟକତା ପଡୁନି ।
ମାଆ,
ମୁଁ ଏବେ ବହୁତ୍ ବଡ଼ ହୋଇ ଗଲିଣି,
ମୁଁ ଏବେ ମୋ ପାଇଁ ତୋ ପାଇଁ ନୁହେଁ
ଅନ୍ୟ ମାନଙ୍କ ପାଇଁ ବଞ୍ଚୁଛି
ସେମାନଙ୍କ ଫର୍ମାଇସ ଗୋଟି ଗୋଟି
ପୂରଣ କରୁଛି,
ଶଙ୍ଖ ମଲମଲ ଘରେ ରହୁଛି,
ପଣ୍ଟାଲୁନ୍ ରୁ ପ୍ୟାଣ୍ଟ୍ ସାର୍ଟ କିଣୁଛି
ପିଜା ହଟ୍ ରୁ ପ୍ୟାକ୍ କରି
ପୂଳା ପୁଳା ଖାଦ୍ୟ ବୋହୁଛି,
ମଲ ଆଉ ଗ୍ରୋସେରୀ ରୁ
ତେଲ ଲୁଣ ସଂସାର ର ସାଧନ,
ସମ୍ବଳ ସବୁ ଆଣୁଛି,
ସର୍ବୋପରି ମୁଁ ଏକ
ବୋଝ ବୁହା ଗଧ ଟେ
ପାଲଟି ଯାଇଛି ।
ମାଆ ,
ସତରେ ଏତେ ବଡ଼ ଏବେ ବି ମୁଁ ହୋଇନି,
ମୁଁ ତୋ ପାଇଁ ଅଲୋଡା ହୋଇନି କିନ୍ତୁ
ମୁଁ ତୋତେ ଅଲୋଡ଼ା ଭାବି ନେଇଛି
ହେଲେ ମୁଁ ଜାଣେ ମାଆ
ତୁ ଏବେବି ମୋ ପାଇଁ ଠାକୁରଙ୍କ ଆଗେ ପ୍ରାର୍ଥନା କରୁ
ମୋ ପାଇଁ ଶହେ ଆଠ ବେଲପତ୍ର ଚଢାଉ
ମାନସିକ କରୁ ମୋର ମଙ୍ଗଳ ପାଇଁ ,
ମୋ ହସ ବି ତୋ ପାଇଁ, ଲୁହ ବି ତୋ ପାଇଁ,
ଏବେ କାଇଁ ତୋ କଥା ଏତେ ବେଶୀ ବେଶୀ
ମନେ ପଡୁଛି,
ଏକାନ୍ତରେ ମୋ ମନ
ତୋତେ ହିଁ ଖୋଜୁଛି,
ମୋ ମଥା ଏବେ ଟିକେ
ତୋର ସେ କଅଁଳ ହାତର
ପରଶ ଖୋଜୁଛି,
ଏବେ କାହିଁ ମୁଁ ଭାରୀ ଅସହାୟ ,
ଭିଡ଼ ଭିତରେ ବି ଏକଲା ଲାଗୁଛି,
ମୋ ଆତ୍ମା ଏବେ କାହିଁ ତୋ ପଣତ କାନି ର
ଆଶ୍ରୟ ଚାହୁଁଛି
ତୋ ପଣତ କାନି ର ଆଶ୍ରୟ ଚାହୁଁଛି ।