ମୁଁ ଥିଲାବେଳେ ମାଆ ପାଖରେ
ଭୁଲି ଯାଇଥିଲି ନିଜକୁ
ମୋ ପାରିଲା ପଣିଆର
ସବୁ ଉଦ୍ବେଳନ
ମୋ ଦୁର୍ବଳତାର
ଦୁଃଖ ଦାବାହନ
ସବୁ ସେ ପରଖି ନିଏ
ମନରେ ମୋ ଆଶା ଭରିଦିଏ
ଅଣ୍ଟା ସଳଖି ଚାଲିବାର
କଳା ଟିକକ ଶିଖାଏ
ମୋ ଲୁହକୁ ପିଇ ନିଏ
ବ୍ଲଟିଂ ପେପର
ସ୍ୟାହି ସବୁ ଶୋଷି ନେଲା ପରି ।।
ଅକସ୍ମାତ୍ ସେ ଅଦୃଶ୍ୟ ହୋଇଗଲା
ଅପହଞ୍ଚ ଆକାଶର ଶୂନ୍ୟ ପରିଧିରେ
ତାରା ଅବା ଜହ୍ନରାଇଜରେ
ଘଞ୍ଚ ଜଙ୍ଗଲରେ ପତ୍ର ଗହଳରେ
ଅବା ଦୂର ପାହାଡ଼ର
କେଉଁ ଅନ୍ଧ ଇଲାକାରେ
ମୁଁ ଖୋଜେ ତା’ର ପାଦଚିହ୍ନ
ନିବିଡ଼ି ଭାବରେ
ନିର୍ଜନ ଏ ବେଳା ବୁକୁ ପରେ
କେବେ ପୁରୁଣା ସେ ଗଛଟି ତଳେ
ଥକା ମେଣ୍ଟାଇଲେ
ଅନୁଭବ କରୁଥାଏ
ତା’ ଆଶିଷର ସୁଦୀର୍ଘ ଛାଇଟିକକ
ମୋରି ପାଇଁ ସର୍ବଦା ଉନ୍ମୁକ୍ତ
ଶାଗୁଆ ପତର ଧାରେ
ଥିରି ଥିରି ପବନ ବହିଲେ
ଲାଗେ ମୋତେ ସରୁ ଧଡ଼ି ଲୁଗାକାନି ପରି
ସେ ଯେମିତି ଛୁଇଁଯାଏ ଏ ଦେହର ନିଖୁଣ
ବ୍ୟକ୍ତିତ୍ୱ,
ବରଗଛ ଓହଳକୁ
କେବେ ଥରେ ଛୁଇଁଦେଲେ
ମନେପଡ଼େ
ତା’ କୋଳ ଝୁଲଣାରେ
ଧୋ’ ବାୟା ଗୀତ
ଚୁପ୍ ଚାପ୍ ଶୋଇପଡ଼ିବାର
ଅଭୁଲା ଆନନ୍ଦ,
ନାନା ଜାତି ଚଢେ଼ଇର
କିଚିରି ମିଚିରି ଗୀତ
ଲାଗେ ଭାରି ମିଠାମିଠା
ସେ ଶିଖାଇ ଥିବା
ସକାଳର ପ୍ରଭୁନାମ ପରି,
କେଡ଼େ ନିଆରା ଅନୁଭବ
ଟିକକ ଦେଇଥାଏ
ମାଆ, ସେ
ନଥାଇ ବି ଥାଇ ପଛରେ
ତା’ ଆଶିଷର ଅନନ୍ତ ହାତରେ
ଝଙ୍କାଳିଆ ବରଗଛ ପରି
ମୋତେ ସୁସ୍ଥ ରଖିବାକୁ
ସାରା ଜୀବନ ପାଇଁ ।।
