ମା’, ମମି, ବୋଉ ଯାହା କୁହ ତୁମେ
ଗୋଟିଏ ସମ୍ପର୍କ ପକ୍କା,
ମନ୍ଦିର,ମସ୍ଜିଦ୍ ଗିର୍ଜା, ଗୁରୁଦ୍ୱାର
ଲାଗେ ସବୁ ଫିକାଫିକା । (୧)
ପେଟେ ଖାଇଥିଲେ ମୋଟେ ଖାଇନାହିଁ
ମା’ଆ କହେ ଖା’ ଖା’,
ଦେହ ଖରାପରେ ଭୋକଶୋଷ ଭୁଲି
କୋଳରେ ଶୁଆଏ ମା’ । (୨)
ବାହାଘର ପରେ ସେହି ପୁଅ କହେ
ବୁଦ୍ଧି ନାହିଁ କି ତୋହର ?
ବୋହୁଟା ତୋହର ବଡ଼ ଘର ଝିଅ
କଥାଟି ବିଚାର କର । (୩)
ମୁରୁଖଙ୍କ ପରି ବ୍ୟବହାର କରୁ
ରୋଷେଇ ଆଦେଶ ଦେଇ,
ଲୁଗା ପଟା ସଫା ଘର ଓଳା ଓଳି
କାମ କୁ ପାରୁନି ସହି । (୪)
ତୁହି ଛୋଟ ଘର ଝିଅ ଥିଲୁବୋଲି
ଏମିତି କି ଚଳାଇବୁ ?
ପାହାନ୍ତାପହରୁ ନିଦରୁ ଉଠାଇ
ଅସୁନ୍ଦରି କରିଦେବୁ ? (୫)
ବେଶୀ ହେଲେ ମୁହିଁ ସଙ୍ଗେ ଘେନିଯିବି
ଏକା ଏଇଠି ମରିବୁ,
ଲଲାଟ ପଟରେ ମନ୍ଦରେଖା ତୋର
ଭଲ କିଭଳି ଭୋଗିବୁ ? (୬)
କଥାମୋର ମାନ ବୋହୁ ସେବାକର
ଭୁଲିତୋ ଶାଶୁ ପଣିଆ,
ନହେଲେ ତୁ ଏବେ ଭୁଲିଯା’ ମୋତେ
ଭୁଲିଯିବି ତୁ’ ମୋ ମାଆ । (୭)
ମେ’ ଦଶ ଆଜି ମନେନାହିଁ କା’ର
“ମାତୃ ଦିବସ” ଦିନଟି
ପୁଅକୁ ସମ୍ଭବ ଭୁଲିଯିବା କଥା
ମା’ ଛାତି ଯାଏ ଫାଟି । (୮)
ମାଆର ହୃଦୟ ଛିଦ୍ର କରି ଗଲା
ପୁଅ କଥା ଟାଣ ବାଣ
ଆଶୀଷ ମାଗିଲା କାଳିଆ ଠାକୁର
ସଅଳ ନିଅ ମୋ’ ପ୍ରାଣ । (୯)
