ଜୀବନଟା ଆଜି ଦୁର୍ବିସହ
ଫିକା ଓ ମୂଲ୍ୟହୀନ !
ବିନା ପୂର୍ବ ପ୍ରସ୍ତୁତିରେ
ହଠାତ୍ ବୟସର ରଙ୍ଗୀନ ଅଧ୍ୟାୟରେ
ଭେଟା ଭେଟି ସେମାନଙ୍କ ସହ ।
ସ୍କୁଲ୍, ଖେଳପଡ଼ିଆ, ଘର
ମୋ ଦୁନିଆଁ ଅତି ନିଜର ।
ନିଜେ ନିଜ ପାଖରେ କେତେ କଥା ଦେଇ
ପୁଣି ସତ ହେବ ବୋଲି ପ୍ରତିଶ୍ରୁତି ନେଇ
ଶାନ୍ତିରେ ନିଶ୍ୱାସ ନେଲି ଯେ
ଏବେ ଟିକକ ନାହିଁ ।
ମୁଁ ନିଜକୁ କୈଫତ୍ ମାଗେ,
ମୋ ଭିତରକୁ ଝୁଙ୍କି ଦେଖେ,
ଦୁଇ ବାହୁରେ ହାତ ମାରି
ଅଣ୍ଡାଳି ଦେଖେ,
ମୋ ଡେଣା କାହିଁ
ଯେ ଉଡ଼ିବାର ଅଭ୍ୟାସ କରୁଥିଲା ।
ମୋ ସ୍ୱପ୍ନକୁ ନିରିଖେଇ ଚାହେଁ
କେତେ ରଙ୍ଗୀନ ହୃଦୟ ମୋର,
କେତେ ଯେ କାହାଣୀ ଲେଖା ଥିଲା ବୋଲି
ଝାପ୍ସା ଦିଶୁଥିଲା ।
ସେଦିନ ଓ ଆଜି ଭିତରେ
ଗୋଟେ ଅଯଥା ତୁଳନା ଚାଲିଥିଲା ।
ତଥାପି
କିଛି ପାଇବାର ଆଶାରେ
ନିଜ ପାଖେ ହାତ ଛନ୍ଦି
ଗୋଡ଼ ଭାଙ୍ଗି ଛିଡ଼ା ହୋଇଛି
ଯଦିବା ଜାଣିଛି ମୁଁ ଖାସ୍ ମରିବାକୁ ବଞ୍ଚିଛି !
