ତମ ଦୁଃଖେ ଦୁଃଖୀ ବୋଲି କହି
ନିଜ ଦୁଃଖକୁ ଘୋଡ଼େଇବାର ଚେଷ୍ଟା ମୋର
ସବୁ କାଳର, ମୋର ଏ ଛଳନା ଅସରା ।
ତମ ଦୁଃଖରେ, ମୋ ଦୁଃଖ
କେମିତି ମିଶେଇବି
କେମିତି ଓହଳିବି ମୁଁ
ପୁଣି ତୁମ ଦୁଃଖର ଭାରାରେ ।
ସ୍ୱାର୍ଥୀ ପରି ତମ ଦୁଃଖ ଖାଲି ନେବି ସିନା
ଦେବିନି କାଣିଚେ, କାଳେ ଠଉରେଇ ନେବ ବୋଲି ତମେ
ଲୁଚେଇ ଆସିଛି ମୁଁ ମୋ ଦୁଃଖ ଗଛ କୋରଡ଼ରେ ।
ଭଲଭାବେ ସଜେଇଛି ମୁଖା
ରଙ୍ଗ ବୋଳି ଗାଢ଼ କରିଦେଇଛି ଓଠକୁ
ହସ ଆଉ ଖୁସି
ମୁହୂର୍ତ୍ତ ମୁହୂର୍ତ୍ତ ପରେ ଲେପି ହେଇଯାଉଛି ମୁଁ
ନୂଆ ନୂଆ ଖୁସିର ଅବିର।
ତେବେ ମୋ ମନର ପରଦା ଡେଇଁ
ମୋ ସ୍ୱଚ୍ଛତାର ଦ୍ୱାହି ଦେଇ
ତମେ ଖୋଜି ପାଇଛ ବୋଧେ
କେଉଁଠି କିପରି ମୋ ଦୁଃଖର ଝଲକ ।
ମୋ ଦୁଃଖ ମୋର
ମୋ ଏକାନ୍ତ ନିଜର
ସେଥିରେ ଭାଗ ନାହିଁ,
ଟିପେ ହେଲେ ବି ତମର ।
ଏ ଲୁଚାଲୁଚି ଖେଳରେ ଦୁଃଖର,
ବାରମ୍ବାର ଧରାପଡ଼ିବା ପରେ ବି
ଲୁଚେଇବା, ମିଛରେ ଢାଙ୍କିବା କଣ ଦରକାର ସତେ
ଚିହ୍ନା ପଡ଼ିବା ପରେ
ଆଉ ଆଉ ମୁଖା ପଛପଟେ
ଲୁଚିବା ବି କଣ ଦରକାର ସତେ ।
ମୋ ଅନ୍ତର୍ଦାହ ସହ, ତମ ଅଯାତିତ ଦୟା
ମୋ ଦୁଃଖକୁ ଜାଳିପୋଡ଼ି
ଅଧା ପୋଡ଼ା କାଠ ଖଣ୍ଡେ ପରି
ଫିଙ୍ଗି ଦେଲାପରେ
ତାକୁ ସାଉଁଟିବା, ତମ ସଙ୍ଗେ ଭାଗ ବସେଇବା
କଣ ଦରକାର !
ଏକାନ୍ତ ନିଜର ମୋ ଦୁଃଖ,
ମୋ ପାଶେ ଥାଉ,
ତମଠୁ
ତାକୁ ଲୁଚେଇବାର ଖେଳ ଚାଲୁଥାଉ
ଅନ୍ତତଃ କେବେକେବେ ତମେ ତାକୁ ଖୋଜି ନ ପାଇବାର ଆଶାଟେ
ବଞ୍ଚିଥାଉ ମୋ ଭିତରେ
ଅନ୍ତତଃ ତମ ପାଶେ ଖାଲି କିଛି ଲହଡ଼ି ଉଜାଡ଼ି
ମୋ ଅତଳ ତଳକୁ ଲୁଚେଇବାର ଅବସର
ଥାଉ ମୋ ପାଶରେ ।