ପାର୍ବଣ ସରିଗଲା ପରେ
ଉତାରି ଦେଇଛି ମୁଖା ।
ମୁହଁଟା ମଳିନ ଦିଶୁଛି ଟିକେ,
ନାଇଁ କି ?
ଶୁଖିଯାଇଥିବା କ୍ଷତ ଚିହ୍ନ ମାନଙ୍କର
ଦାଗ ସବୁ !
ଚାଲିଗଲା ପରେ ପାର୍ବଣ
ସାଇତି ଦେବି ମୁଖାଟିକୁ
ପୋଛି ପାଛି ଦେଇ
ଘୋଡାଇ ଯତ୍ନରେ ।
କାମରେ ଆସିବ ପରେ
ବରଷକୁ ଥରେ କି ଦି ଥର ।
ପୁଣି ଖୋଜା ହେବ,
ବାହାରିବ ଝଡ଼ା ଝୁଡି ହୋଇ
ତା ପରେ ପୁଣି
ଇଷତ ରଙ୍ଗ ବି ଲାଗିବ
ନ ହେଲେ କେମିତି ସତେଜ
ଦିଶିବ କହିଲ ମଞ୍ଚ ଉପରେ ?
ବଇନା ରଖିବା, ରେଜା ଗୋଟାଇବା
ତାଳି ଶ୍ରେୟ ନେବା
ସବୁତ ମାଲିକ ଭାଗରେ ।
ମୁଁ ତ ନିମିତ୍ତ କଳାକାର ଯାହା,
ଆପଣାଇ ନେଇଛି
‘ନିର୍ଦେଶ ମାନିବାର ଧର୍ମ’ ।
ଟେକା ମାଡ଼ ପରି ଲାଗେ ବାହାବା ଓ ତାଳି ମାଡ଼
କ୍ଷତ ବିକ୍ଷତ ହୁଏ ପୁଣି ଥରେ ମୋ’ ଅଭରା କ୍ଷତ ।
ଭରେନା କି ଆଣେନା ପାର୍ବଣ
ମୋ ପାଇଁ ଏକ ନୂଆ ସକାଳ
କି ନୂଆ ସୁରୁଜ, ବର୍ଷ ପରେ ବର୍ଷ
ମୋ ପାଇଁ ପାର୍ବଣ ତ ନାଁ କୁ ମାତ୍ର ।