କବିତା

ଶବ୍ଦରେ ସ୍ୱାଧୀନତା

Manmath Kumar Dalei's odia poem Shabdare Swadheenataa

ହେଇ ଦେଖୁନ
ଶବ୍ଦର ହୁତାଶନ ବହ୍ନିରେ
କେମିତି ଜଳୁଛି ଶ୍ରୀଲଙ୍କା
ହୁତ ହୁତ ହୋଇ

ଶବ୍ଦରେ ସ୍ୱାଧୀନତା

ଶବ୍ଦର କାରିଗରମାନେ
କଲମ ନିହାଣରେ ଖୋଳି ଖୋଳି
ତିଆରି ପାରନ୍ତି ତାଜମହଲ ଠାରୁ
ଆହୁରି କମନୀୟ ସ୍ଥାପତ୍ୟ
ଶବ୍ଦର ସଂଗ୍ରାମରେ ଜିଣି ହୁଏ ହୃଦୟ
ଜିଣି ହୁଏ ଗଡ଼, ଜିଣି ହୁଏ ଦେଶ

କେଇ ଧାଡି ଶବ୍ଦର ପ୍ରତିଶ୍ରୁତିରେ
ଯେଉଁ ହୃଦୟ ଜିତିହୁଏ
ସେହି ହୃଦୟ ବି କାଚ ପରି
ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯାଏ
ଯେତେବେଳେ ପ୍ରତାରଣାର ପଥରରେ
ଭୟଙ୍କର ଆଘାତ ପାଏ

ହେଇ ଦେଖୁନ
ଶବ୍ଦର ହୁତାଶନ ବହ୍ନିରେ
କେମିତି ଜଳୁଛି ଶ୍ରୀଲଙ୍କା
ହୁତ ହୁତ ହୋଇ

ଏହି ଶବ୍ଦରେ
ପୁନର୍ଜୀବିତ ହୁଏ ମଣିଷତ୍ତ୍ବ
ମୃତ କଙ୍କାଳ ପାଏ ଜୀବନ୍ୟାସ
କେରି କେରି ସୁନା ଫଳେ
ଶୁଖିଲା ଟାଙ୍ଗରା ଭୂଇଁରେ
ଶ୍ରାବଣ ମାସର ବଢ଼ି ଆସେ
ଅଭିଶପ୍ତ ମଲା ନଈରେ

ପରାଧୀନତାର ଭୁଶୁଡା କାନ୍ଥକୁ
ଶବ୍ଦର ଇଟାରେ ଯୋଡିବା
କେତେ ଯେ କଷ୍ଟ
ସେକଥା ଯିଏ ଯୋଡୁଛି
ସେହିଁ ଜାଣୁଛି

“ଆମେ ତ ଭାଗ୍ୟବାନ ପିଲାରେ
ଆଉ କେ ଆମପରି ଥିଲାରେ”
ଏହାକୁ ପଢି ପଢି ଆମେ ବଢ଼ିଛେ
କେମିତି ବୁଝିବା ଆମେ
ସେ ଦେବତା ମାନଙ୍କର ବ୍ୟଥା
ମାଟିର ଲୁହରେ ଯେଉଁ ମାନଙ୍କର
ଭିଜି ଯାଇଥିଲା ଆତ୍ମା

ଯେଉଁ ଅହିଂସା ଶବ୍ଦର
ପବିତ୍ର ମନ୍ତ୍ରରେ
ପ୍ରତିଷ୍ଠା ହୋଇଛି ଆମ ଦେଶ
ସେଠି ହିଂସାର ଚାବୁକରେ
ରକ୍ତାକ୍ତ ହେବାକୁ ଦିଆ ନ ଯାଉ
ପବିତ୍ର ଭାରତର ସୁକୁମାର ଦେହ
ବେରୋଜଗାରର ନିର୍ମମ କୁରାଢ଼ୀରେ
ହାଣି ଖଣ୍ଡ ଖଣ୍ଡ କରି ନ ଦିଆଯାଉ
ଆମ ଆଗାମୀ ପିଢ଼ିର ଭବିଷ୍ୟତ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top