ମୌସୁମୀ ତମେ ଗଲା ପରେ
ଦୂର ଦିଗବଳୟରୁ ମାଡିଆସୁଛି
କାହାର ଏ କ୍ଷୀଣ ଆବାଜ
କେହି କେହି କହୁଛନ୍ତି
ଏ ତ ଏକାକିନୀ ଶସ୍ୟ କଟାଲର ସ୍ଵର
ଆଜିର ବ୍ୟସ୍ତତା ଭିତରେ ବେସୁରା ରାଗିଣୀରେ
ଏଠି ସେଠି ମୁଠା ମୁଠା ଭୟ ବୁଣୁଛି ।
କିନ୍ତୁ ସମ୍ବାଦ କହୁଛି
ଆଜି କେହିବି ଏକାକିନୀ ନୂହେଁ କି ଏ କାହା ସ୍ଵର ନୁହେଁ
ବରଂ ଦିନ ତମାମ ସାରା ରାତି ବର୍ଷା
ବାଦଲର କ୍ଷୀଣ ଆବାଜରେ
ତମାଳ ବଣରେ
ମାତଳ ହେଇ ନାଚୁଛି ।
ଚହଳ ପଡିଗଲା ଏ କଥା
କାଲିଠୁ ତା ସ୍ଵର କଉଠି ବି ସୁଭୁନି
ଭୟ ଓ ଲଜ୍ୟାର କକ୍ଟେଲ୍ ଗନ୍ଧ ଭିତରେ ଯେମିତି ଘୁମେଇ ପଡିଛି ।
ଧାନବିଲ ମରୁଡ଼ିର ଧାସରେ ହେଉକି
କାହା ମେରୁଦଣ୍ତର ହାଡର ବ୍ୟଥାରେ
ଅବା ବନ୍ୟାର ଭଉଁରୀରେ
ଡ଼ୁବି ଯାଇଥୁବା ସେ ଆପଣାର ହାତକୁ
ମନେପକଉ ଥୁବା ଆଖିରେ
ବର୍ଷା ତମାମ୍ ଝରୁଛି ।
ହେ ପ୍ରକୃତି ମୌସୁମୀ
ତମେ ସୃଷ୍ଟି କାରିଣୀ
କରିଛ ବର୍ଷାରେ ସଂହାର
କାହାର ଧ୍ଵଂସ କେତେ ଉତ୍ଥାନ କେତେ ପତନ ପରେ
ପୁଣି ତମେ ତମ ସୃଷ୍ଟି ରେ ଛିଞ୍ଚିଛ ସଞ୍ଜିବନୀ ।
ତମେ ଫେରି ଗଲ …
ପରେ
ନିର୍ମାଣ ହେଲା ତମ ପ୍ରତିମୂର୍ତ୍ତି
ଧୂପ ଦୀପ ନଇବେଦ୍ୟରେ
ତମକୁ କରାହେଲା ଆବାହନ
ତମେ କଣ ଆସିଲ ??
ନାଁ!
ତମ ପ୍ରତିମୂର୍ତ୍ତିର
ଏବେ ଦି’ ନିଠର ଆଖିର ରଙ୍ଗ
ଅତଳ ଜଳରେ ମିଳେଇ ମିଳେଇ ଯାଉଥବା ବେଳେ
ବିଦାୟ ଧ୍ଵନିରେ
କାଶତଣ୍ଡି ସମର୍ପଣର କଥା କହି
ନିଶ୍ଚିହ୍ନ ହେଇ ଯାଉଛି ।