କବିତା

ଦିଅ ନାହିଁ ତମେ ଧରା

ତମକୁ ପାଇବା ଆଶାରେ
ଅବାଟ ବାଟ ପାଲଟେ
ବାଟ ଅବାଟ .
ତମକୁ ବୁଝିବା ଆଶାରେ
ନିଜେ ନିଜ ପାଖେ
ଅବୁଝା ମୁଁ ହୁଏ
ହେଲେ
ତମକୁ ଖୋଜିବା
ଚାଲିଥାଏ ଇହକାଳ, ପରକାଳ

ଦିଅ ନାହିଁ ତମେ ଧରା

ତମକୁ ଖୋଜିବା
ଚାଲିଥାଏ ଅହର୍ନିଶ
ପ୍ରତି ମୁହୂର୍ତ୍ତରେ
କୋଳାହଳରେ
ନିରବତାରେ
ବିଜନତାରେ
ଜନଗହଳିରେ
ଜ୍ଞାନରେ
ଅଜ୍ଞାନରେ
ଆଲୋକରେ
ଅନ୍ଧାରରେ

ତମକୁ ପାଇବା ଆଶାରେ
ଅବାଟ ବାଟ ପାଲଟେ
ବାଟ ଅବାଟ .
ତମକୁ ବୁଝିବା ଆଶାରେ
ନିଜେ ନିଜ ପାଖେ
ଅବୁଝା ମୁଁ ହୁଏ
ହେଲେ
ତମକୁ ଖୋଜିବା
ଚାଲିଥାଏ ଇହକାଳ, ପରକାଳ

ତମେ କଣ ମାୟା ସରଜିଛ
ମୋ ଚାରିଆଡ଼େ
ମୁଁ ଯାହା ଦେଖୁଛି, ଶୁଣୁଛି
ଅନୁଭବୁଛି
ସେ ସବୁ ସତ୍ୟ ଅବା କୁହେଳିକା .
ମୋ ଖୋଜିବାର
ତମେ ମାଧ୍ୟମ ନା ଲକ୍ଷ୍ୟ
ପଥିକ ନା ପଥ
ଦୀପଶିଖା ନା’ ଆଲୋକ

ଜାଣେନା
ଜାଣିବା ଦରକାର କି ନା’
ଜାଣେନା
ମୁଁ କେବଳ ଖୋଜୁଛି ତୁମକୁ
କେବେ ପାଇଛି କି ନା’, ଜାଣେନା
କେବେ ପାଇବି କି ନା’, ଜାଣେନା
ପାଇଲେ ଚିହ୍ନି ପାରିବିକି ନା’, ଜାଣେନା
ପାଇଲେ, ପୁଣି ଖୋଜିବିକି ନା’, ଜାଣେନା
ଏମିତିକି
ତୁମକୁ ମୁଁ ଖୋଜି ପାଇବାକୁ ଚାହେଁ କି ନା’
ତା ବି ଜାଣେନା

ତମକୁ କି ଖୋଜି ପାଇହେବ
ସମ୍ପୂର୍ଣ୍ଣ ଭାବେ
ତମକୁ କି ବୁଝିହେବ, ଚିହ୍ନି ହେବ
କୁଣ୍ଢେଇ ହେବ – ସମ୍ପୂର୍ଣ୍ଣ ଭାବେ

ତମକୁ ପାଇଛି, ଚିହ୍ନିଛି, ବୁଝିଛି ବୋଲି
ବିଶ୍ୱାସ ନ ଆସୁ ମୋର
ସେ ଭ୍ରମରେ, ଅକାଳରେ, ସରିଯିବ ପଥ
ହୁଡ଼ିଯିବ ଲକ୍ଷ୍ୟ
ଅନ୍ଧାରରେ ଛପିଯିବ, ମୋ କାରଣ
ନେସି ହେଇଯିବ ଜୀବନ ପ୍ରସଙ୍ଗ

ତମକୁ ପାଇଛି, ଚିହ୍ନିଛି, ବୁଝିଛି ବୋଲି
ବିଶ୍ୱାସ ନ ଆସୁ ମୋର

ଦିଅ ନାହିଁ ତମେ ଧରା
ଖୋଜା ମୋର ଚାଲିଥାଉ, ତୁମ ପାଇଁ
ତୁମକୁ – ଆଉ ନ ଖୋଜିବାର ମୁହୂର୍ତ୍ତ ନ ଆସୁ

ଖୋଜି ଖୋଜି କାଳେ ଥକିଯିବି
ହାରିଯିବି, ଆଉ ଖୋଜି ପାରିବିନି ବୋଲି
ତମେ
ଜାଣିଶୁଣି ଧରା ପଡ଼ ନାହିଁ
ଦିଅ ନାହିଁ ତମେ ଧରା

ତମକୁ ପାଇବି ମୁଁ
ଏ ବିଶ୍ୱାସ ମୋର
ଉଭା ହେଇ, ଚମତକାରିତାରେ
ଉଣା କର ନାହିଁ

ଦିଅ ନାହିଁ ତମେ ଧରା
ଖୋଜା ମୋର ଚାଲିଥାଉ, ତୁମ ପାଇଁ
ତୁମକୁ – ଆଉ ନ ଖୋଜିବାର ମୁହୂର୍ତ୍ତ ନ ଆସୁ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top