ଆୟୁଷ କ’ଣ ଗିଲାସେ ଜଳ
ତାକୁ ପିଇଦେଲେ ସଙ୍ଗେ ସଙ୍ଗେ ସରିଯିବ ।
ଯଦି ସତରେ ଆୟୁଷ ଗିଲାସେ ଜଳ
ତେବେ ମିଶେଇ ଦିଅ ସେଥିରେ
କେଇ ବୁନ୍ଦା ନିର୍ମମ ଜହର
ନା ତାକୁ କିଏ ପିଇପାରିବ
ନା ପିଇବାକୁ ସାହାସ କରିବ ।
ମୋର କିଛି ସାଙ୍ଗ କିନ୍ତୁ କହିଲେ
ଆୟୁଷ କୁଆଡେ ବିକ୍ରିହେବ
ଶପିଂ ମଲରେ , ସୁଲ୍ଲଭ ଦରରେ
ଆଉ ଦରକାର ହେବନାହିଁ
ବିଶ ମିଶାଇବା ଆୟୁଷ ଜଳରେ ।
ହେ ପ୍ରଭୁ,
ଟିକିଏ ଆଗରୁ ଏ ବ୍ଯବସ୍ଥା ସିନା କରିଥାଆନ୍ତ
ଅନ୍ତତଃ ସୁବ୍ରତ ସାହୁ ବିଚରା ବଞ୍ଚି ଯାଇଥାଆନ୍ତା
ତା ସହଧର୍ମିଣୀକୁ ବୈଧବ ଦଶା ପଡି ନ ଥାଆନ୍ତା
କି ତା ପିଲାଛୁଆ ଅନାଥ ହୋଇ ନ ଥାଆନ୍ତେ ।
ଦେବ ଭାଇ କିନ୍ତୁ ମୋତେ କହିଲେ
ଆରେ ବୋକା, ଆୟୁଷ ଶପିଂ ମଲରେ ନୁହଁ
ମନ୍ଦିରରେ ମିଳେ, ବିନା ଅର୍ଥରେ
ବିନା ଲାଞ୍ଚରେ, ବିନା ମଗାରେ ।
ବଡ ଆଶ୍ଚର୍ଯ୍ଯ
ତେବେ ସୁବ୍ରତ କ’ଣ ମନ୍ଦିର ହତା ମାଡୁ ନ ଥିଲା
ତାକୁ ଠାକୁର କାହିଁକି ଠକିଦେଲେ
ସ୍ୱାମୀ ବିବେକାନନ୍ଦ ତ ନିଜେ ଗୋଟିଏ ମନ୍ଦିର
ତାଙ୍କୁ ବି କେମିତି ଠକି ଦେଲେ ଯମ ।
ଥିଲା ଥିଲା
ଶୁଭେନ୍ଦୁ ପଣ୍ଡା ହଠାତ୍ କଣ୍ଠ ଫଟେଇ କହିଲା
ବୁଝିଲୁ ଦଳେଇ, ସମାଜ ସେବା କଲେ
ଆୟୁଷ କୁଆଡେ ଫୁଲି ଯାଏ ବଢିଲା ନଈ ପରି ।
ମୁଁ ଭାବିଲି
ଶୁଭେନ୍ଦୁ ଯଦି ସତ
ତେବେ ସୁଭାଷ ବୋଷ
କେମିତି ହଜିଗଲେ କେଉଁଆଡେ
କଣ କମି ଥିଲା ତାଙ୍କ ସମାଜ ସେବାରେ ।
ଶେଷରେ ମନୋଜ ଭାଇ କହିଲେ
ଦେଖ ମନ୍ମଥ, ମୃତ୍ଯୁ ସତ୍ଯ ଚିରନ୍ତନ
କିନ୍ତୁ କିଛି ମୃତ୍ଯୁ
ଚିର ଅଜର, ଚିର ଅମର
ସେ ହୁଅନ୍ତୁ ବିବେକା ନନ୍ଦ
ଅବା ନେତାଜୀ ସୁଭାଷ ଚନ୍ଦର ।