ସବୁବେଳେ ସମୟଟା
ସମାନ ନଥାଏ
ଆସେ ପୁଣି ଚାଲିଯାଏ
ତା’ ବାଟରେ
ଆଖି ପଲକରେ
ମିଳାଇଯାଏ
ଅନନ୍ତ ସମୟର
ଅଦେଖା ଛାତିର ।
କେତେବେଳେ ବୈଶାଖର
ଉଷ୍ମ ପ୍ରସ୍ରବଣ ତ
କେତେବେଳେ ଶୀତର
ବୁକୁଥରା ମନ
କେତେବେଳେ ବସନ୍ତର
ମଧୁର ଗୁଞ୍ଜନ
କେତେବେଳେ ଶରତର
ଶୀତଳ ସ୍ପନ୍ଦନ
ମାଳମାଳ କାଶତଣ୍ଡି ଫୁଲବନ
ଜହ୍ନ ରାତି . . .
ନଈପଠା ଚିକ୍ ମିକ୍
ବାଲିଶେଯ
ମନଭରି ଆନନ୍ଦ ନେବାର
ଅସରନ୍ତି ଅଭୁଲା ମୁହୂର୍ତ୍ତ
ସବୁ ଗୁଡ଼ା ଗୋଟେ ଗୋଟେ
ମୁହୂର୍ତ୍ତର ଖେଳ
ଅଳପ ଭଲପାଇବା ଅଳପ ଦୁଃଖ
ଅଳପ ବେଦନା ଅଳପ ସୁଖ
ଅଳପ ବିଶ୍ୱାସ ପୁଣି
ଅଳ୍ପ ଅବିଶ୍ୱାସ
ସବୁଗୁଡ଼ା ଅଳ୍ପ ଅଳ୍ପ
ମୁହୂର୍ତ୍ତଟେ ପରି
ଠିକ୍ ଜୀବନର
ଅଳ୍ପ ଖେଳପରି
ଆତ୍ମଚିତ୍କାର ଓ
ଆତ୍ମବିଭୋର ପରି ।।
