କବିତା

ନିଦ୍ରା ଚୋରୀ. . .

Bijaya Kumar Senapati's odia poem Nidraa Chori

ମିଛ, ପେଞ୍ଚ, ଲାଞ୍ଚ ଖୋର୍ ବୁଲେ ଏଠି ପୁଲିସ୍‌ର ବର୍ଦ୍ଦି ପିନ୍ଧିକରି
ରକ୍ଷକ ଭକ୍ଷକ ସାଜି, କରେ ତା’ର ମନମର୍ଜି
ଜନତାର ପିଠି ଫାଟେ, ରକ୍ତ ପଡ଼େ ଝରି,
ଗଣତନ୍ତ୍ର, ଘୁଣତନ୍ତ୍ର ସାର
ଗୁଣ୍ଡାରାଜ୍ ଚାଲେ ଆଜି ତା’ର, କୁହ କୁହ ନିଦ୍ରାରେ ମୁଁ ଶୋଇବି କିପରି ?

ନିଦ୍ରା ଚୋରୀ. . .

ସୀମାରେ କମାଣ ଗର୍ଜେ, ତୋପ ଫୁଟେ ଅହରହ
ଯବାନ୍ ଖେଳୁଛି ଏଠି ନିତି ରକ୍ତ ହୋଲି,
କେତେବେଳେ ମାରେ ଅବା କେତେବେଳେ ମରେ ସିଏ
ବୁଲେଟ୍ ଯେ ଯାଏ ତା’ର ଛାତି ପାର୍ କରି,
ନିର୍ମିମେଷ ଚକ୍ଷୁ ତା’ର,
ବହେ ଅଶ୍ରୁ ଧାର ଧାର
ଆଖିରୁ ମୋ ନିଦ୍ରା ନିଏ ହରି
କୁହ କୁହ ନିଦ୍ରା ମୁହିଁ ଯିବି କେଉଁପରି । (୧)

ମିଛ, ପେଞ୍ଚ, ଲାଞ୍ଚ ଖୋର୍ ବୁଲେ ଏଠି ପୁଲିସ୍‌ର ବର୍ଦ୍ଦି ପିନ୍ଧିକରି
ରକ୍ଷକ ଭକ୍ଷକ ସାଜି, କରେ ତା’ର ମନମର୍ଜି
ଜନତାର ପିଠି ଫାଟେ, ରକ୍ତ ପଡ଼େ ଝରି,
ଗଣତନ୍ତ୍ର, ଘୁଣତନ୍ତ୍ର ସାର
ଗୁଣ୍ଡାରାଜ୍ ଚାଲେ ଆଜି ତା’ର, କୁହ କୁହ ନିଦ୍ରାରେ ମୁଁ ଶୋଇବି କିପରି ? (୨)

ମାଆ ଓ ଉଭଣୀ ଆଜି ସୁରକ୍ଷିତ ନୁହେଁ ଏଠି, ରାସ୍ତାଘାଟ ମୃତ୍ୟୁଯନ୍ତା ପରି
ଅହରହ ଦୁଃଶାସନ ଘୁରି ବୁଲେ, ଦାଣ୍ଡରେ ଘାଟରେ
ନିମିଷେକେ ଦ୍ରୌପଦୀର ବସ୍ତ୍ର ନେବ ହରି ।
ଭିତତ୍ରସ୍ତ ମନେ ମୋର,
ଶଙ୍କା ଜାଗେ ବାରବାର
କୁହ କୁହ ମୋ ଆଖିକୁ ନିଦ୍ରା ଏବେ ଆସିବ କିପରି ? (୩)

ପୁଅ ଝିଅ ଗୋଟାଅନ୍ତି ଡଲାର୍, ପାଉଣ୍ଡ ଦେଶ ଛାଡ଼ି ବିଦେଶ ଚାକିରୀ
ବୃଦ୍ଧ ପିତାମାତା ତା’ର ଅଣ୍ଡାଳନ୍ତି ଭୂଇଁ ଏଠି, ଅଶ୍ରୁ ଢାଳିଢ଼ାଳି
ବାତ୍ସଲ୍ୟ ମମତା ଡୋର
ବ୍ୟର୍ଥ ଆଜି ମାନେ ହାର
କୁହ କୁହ ନିଦ୍ରା ମୋତେ ଆସିବ କିପରି ? (୪)

ଟିଭି ଆଉ ସିନେମା ମାୟାରେ ବାୟା, ଏ ଦେଶର ସର୍ବ ନରନାରୀ
ରୂପେଲି ପର୍ଦ୍ଦାରୁ ଆଜି ନାଭି, ସ୍ତନ, ନିତମ୍ୱର ବର୍ଷା ପଡ଼େ ଝରି
ଆର୍ଯ୍ୟଭୂମି ଭାରତର
ପୂଣ୍ୟ ଆଜି ନାରଖାର,
ଆଖିରୁ ମୋ ନିଦ୍ରା ନିଏ ହରି,
କୁହ କୁହ ନିଦ୍ରା ମୁହିଁ ଯିବି କେଉଁପରି ? (୫)

ପାହିଯାଏ ରାତିରାତି ବିନିଦ୍ର ରଜନୀ,
କବି ଆଜି ଶୀର୍ଣ୍ଣ ମୁହିଁ ଜାଗେ ରାତିଭରି
କିଏ ସେ ଏତଲା ନେବ, ମୋ ମନକୁ ଶାନ୍ତି ଦେବ
ହୋଇଅଛି ଯେଣୁ ଆଜି ନିଦ୍ରା ମୋର ଚୋରୀ,
ଯାଇଛି ବିଷାଦ ଘାରି
ମନେ ପ୍ରଶ୍ନ ଅସୁମାରୀ,
କଲା କିଏ ନିଦ୍ରା ମୋର ଚୋରୀ ? କଲା କିଏ ନିଦ୍ରା ମୋର ଚୋରୀ ? (୬)

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top