ଖାଁ ଖାଁ ଲାଗୁଛି ଝର୍କାପାଖ ବଗିଚା ,
ତାଲା ଝୁଲୁଛି ଦୋକାନରେ, ଆଳୁ ଗୋଦାମରେ ।
ଘର ଆଗେ ଶୋଇ ରହିଥିବା କୁତ୍ତୀ କୁଁ କୁଁ ହେଉଛି –
ସୂର୍ଯ୍ୟଙ୍କ ଅତିଶୟ ନିର୍ଦ୍ଦୟତାରେ !
ମୋ କଳାରଙ୍ଗର ହୃଦୟରେ ;
ପୁଳେ ଚର୍ବି ଚଢିଗଲାଣି ,
ଦ୍ୱିପହରର ରାଜରାସ୍ତା ଦିଶେ ସାହାରାର –
ପର୍ଯ୍ୟାପ୍ତ ମରୁବାଲି ………
ଯଦି ସାରାଦିନ ଅସ୍ୱୀକାର କରେ –
ମୁଁ ବଞ୍ଚିଥିବା କଥା ମିଛ ,
ମିଛ ଯାହା ଯାହା ସକାଳେ ଘଟିଥିଲା ;
ଖରାବେଳର ଧୁ ଧୁ ଖରାର ତୀବ୍ରତାରେ –
ମୁଁ ମରିବି କି ବଞ୍ଚିବି ଦ୍ଵନ୍ଦ ଥିଲା ।
ମୋର ଏଇକ୍ଷଣି ଯଦି ମୃତ୍ୟୁ ହୁଏ !
ଏବେ ଯଦି ମୋ ଆଖିସାରା କଳାବାଦଲ ଘୋଟେ –
ତେବେ କ’ଣ ବଦଳୁଥିବ ମୋ ଭବିଷ୍ୟତ ?
ଅପରିବର୍ତ୍ତିତ ଭାଗ୍ୟ ବା କାହାର ନଥାଏ ?
ପ୍ରିୟମ୍ବଦା ଏଇ ନିଅ ,
ଶେଷଥର ଲାଗି ଚିଠିଟେ ଲେଖିଦେଲି ତୁମ ଠିକଣାରେ
ମୋର ଆଉ ଦରକାର ନାହିଁ କିଛି ;
ଦିଅ ଦିଅ ମୋତେ ତୁମ ସହ ନିସ୍ତବ୍ଧ ଦ୍ୱିପହରଟେ ଦିଅ ।
