ମୁଁ ନିରବ ଜହ୍ନ ପରି
ସାରା ଜୀବନ ଉଜାଗର
ତମ ଅପେକ୍ଷାରେ ଥିବି ।
ତମେ ଆସିବନି – ଜାଣି ସୁଦ୍ଧା
ଦରଜାଟା ଖୋଲା ରଖିଥିବି ।
ମଳୟ କି ଘୂର୍ଣ୍ଣି
କୁଆ କି କଜଳପାତି
କାଳେ କିଏ ଆଣିଥିବ
ପଦଟିଏ ମୋ ପାଇଁ
ତମଠୁ ଯେ –
କାନ ଡ଼େରିଥିବି
ଉଚ୍ଛନ୍ନ ହେଉଥିବି
ସବୁ ଉଦାସ ଅପରାହ୍ନରେ ।
ତମ ଚିଠି
ଆସିବନି ଜାଣି ସୁଦ୍ଧା
ଚିଠିଟିଏ ଲେଖୁଥିବି
ପ୍ରତି ରାତିରେ
ମୋ ଡାଇରୀରେ ।
ଓ
ଆକାଶରେ
ଭସା ଭସା ବାଦଲରେ
କାଳେ ତମେ ଲେଖିଥିବ
କବିତାଟେ – ମୋ ପାଇଁ
ପଢ଼ୁଥିବି ଫର୍ଦ୍ଦ ଫର୍ଦ୍ଦ
ଜୀବନୁ ଜୀବନୁ ।
ମୁଁ ନିରବ ଜହ୍ନ ପରି
ସାରା ଜୀବନ ଉଜାଗର
ତମ ଅପେକ୍ଷାରେ ଥିବି ।
ଜାୟାର ବାହୁ ପାଶରୁ
ମୁକୁଳି ନିଶ୍ୱାସ ଫେରେଇବା ପାଇଁ
ଅନ୍ଧାରରେ ଖୋଜୁଥିବି
ତମ ନିରୀହ ଆଖି ଦୁଇଟି
ଝାଳରେ ବତୁରି
ଫୁଲି ଯାଇଥିବା ଜାୟା ମାଂସର
କବଳରୁ ଉଡିଯାଇ
ବସାଟିଏ ବାନ୍ଧୁଥିବି
ତମ ଘର ଅଗଣାର
କଦମ୍ବ ଗଛରେ ।
ଅବିଶ୍ୱାସୀ ହେବିନାହିଁ ବୋଲି
ଡ଼େଇଁବିନି ବନ୍ଧ
ତୁମ ଶୋଇବା ଘରର ।
ତମ ଇଙ୍ଗିତଟେ ପାଇଁ
ମୁଁ ନିରବ ଜହ୍ନ ପରି
ସାରା ଜୀବନ ଉଜାଗର
ତମ ଅପେକ୍ଷାରେ ଥିବି ।