କିଏ ଆମ ଘର
କିଏ ତୁମ ଘର
ସବୁରି ଘରର ଗୋଟିଏ କଥା
କେବେ ଏଠି ସୁଖ
କେବେ ଏଠି ଦୁଃଖ
କେବେ ବି ଜୁଆର କେବେ ବି ଭଟ୍ଟା
ବିଧାତା ଗଢଣୀ
ନଇଁଛି ଓଢଣୀ
ସ୍ୱପ୍ନ ଅଞ୍ଜନା ଅପରିଚିତା
ଏଇ ଚମ୍ପା କଢ଼
ଆଙ୍ଗୁଳିରେ ଗଢ଼
ସ୍ପର୍ଶ ମନ୍ତ୍ରିତ ଆରିସା ପିଠା
ଏଣେ ଶାଶୁ ମାଆ
ତେଣେ ବଡ଼ ଯାଆ
ଚିପି ଚିପି କୁହ ଅନ୍ତର କଥା
କେଉଁଠି ସବୁଜ
କେଉଁଠି ନିବୁଜ
ଧୂଆଁ ପରି ବୁଲେ ମନର ବ୍ୟଥା
ବିଧବା ପିଉସୀ
ଦେଉଛି ଆଉଁସି
ଖାଲି ଖାଲି ହାତ ଲଙ୍ଗଳା ମଥା
ଏହି ଘର ଝିଅ
ବଂଶ ସୁତା ଖିଅ
ଗେହ୍ଲା ହେଲା ଆଜି ଅଭିଶପ୍ତା
ଆଣି ଅଛି ବାକି
ପୁରା ଗଲା ସରି
ନାଇଁ ଆସିଲାଣି ନୟନ ପତା
ଏଡ଼େ ଅବିବେକୀ
କେହି କହିବେ କି
ଚାଖ କହ ପିଠା କେତିକି ମିଠା
ହେ ସ୍ନେହ ଆରାଧ୍ୟା
ଏହି ତ ଅଯୋଧ୍ୟା
ମୁଁ ଯେ ତୁମ ରାମ ତୁମେ ମୋ ସୀତା
କେବେ ଖୁସି ହସ
କେବେ ବନବାସ
ମୁଁ ପ୍ରେମ ଶପଥ ତୁମେ ମୋ ଗୀତା
ଭାଙ୍ଗି ଛାଇ ନିଦ
ଖୋଲି ଆଖି ମୁଦ
ଆଲୁଅରେ ଲିଭାଇ କହିବ କଥା
ଗହିଲିଣି ଶହେ
ଚିଡ଼ିଲିଣି ବହେ
ସବୁ ଚେଷ୍ଟା ମୋର ହେଲାଣି ବୃଥା
ଖେଳ ଥିବା ବାକି
ଆୟୁ ଯିବ ସରି
ସେ ଗାଁଆ ଏନ୍ତୁଡ଼ି ଏ ଗାଁଆ ଚିତା
ଆଣ ଥିବ ବାକି
ପୁର ଯିବ ସରି
ନଇଁ ଯାଇଥିବ ନୟନ ପତା