କବିତା

ଫେରାପଥ

Brundabana Das's odia poem Pheraapatha

ଫିଟିଯାଏ କୋହ ଓ ମୋହର ପୃଥିବୀରୁ
କ୍ଷଣିକ ଆଶ୍ଵସ୍ତିରେ ବହୁଦୂର ପଥ

ଫେରାପଥ

କେଉଁ ଦୁର୍ବାର ସମ୍ମନୋହନରେ ପଛକୁ ଫେରେ ପାଦ
ଭିଡ ଭିତରୁ ଚିହ୍ନାଜଣା ସମ୍ପର୍କର
ମଧୁର ବାର୍ତ୍ତାଳାପରେ ଚହଟେ ବର୍ତ୍ତମାନ
ଦୁଃଖର ଅଗଣାରେ ସ୍ମୃତିର ଫୁଲସଚୁ
ବିଛାଡ଼ି ହେବାର ଦୁର୍ବଳ ବେଳାରେ,
ଫିଟିଯାଏ କୋହ ଓ ମୋହର ପୃଥିବୀରୁ
କ୍ଷଣିକ ଆଶ୍ଵସ୍ତିରେ ବହୁଦୂର ପଥ ।

ଝିନ୍‌ଝଟ ସମୟର ଅସ୍ଥିର ଭୂମି ଉପରୁ
ମୁକୁଳି ଯିବାର ଉଦ୍ୟମ
ବାଧ୍ୟବାଧ୍ୟକତାର ଶୃଙ୍ଖଳ ଛିନ୍ନ କରି
ପଛକୁ ଫେରେଇ ନିଏ
କଥା ହେବାକୁ ଭେଟିବାକୁ
ସୃତିସିକ୍ତ ଉଜ୍ଵଳ ଦିନସବୁଙ୍କୁ
ହସ କାନ୍ଦର ଅରମା ଭିତରୁ ଖୋଜିବାକୁ
ଅଧା ଛାଇ ଅଧା ଆଲୁଅରେ ସମୟର ପଦଚିହ୍ନ ।

ହାତ ପାପୁଲିର ନରମ ଆଉଁଶା ପରି
କହିଦିଏ କାନେ କିଏ ପବନର ସ୍ଵର ହୋଇ
ଏଇ ଏଇ ଘଟିଥିବା କଥା
କାଲିପରି ଲାଗୁଥୁବା ଦେହଘଷା ଘଟଣାର
ସଂତ୍ରସ୍ତ କାହାଣୀ ।

ଆଜିର ବୋଝ ତ କମ୍‌ ନୁହେଁ
କମ୍‌ ନୁହେଁ ଅଭୀପ୍ସା, ଯନ୍ତ୍ରଣା
ଗଦାଗଦା ଜଞ୍ଜାଳର ମହାସ୍ତୁପ
ପ୍ରତ୍ୟାଶୀ ହାତ ସମୂହର ପ୍ରଲୁବ୍ଧ ଆବେଦନ
ନିଜକୁ ପଳ ପଳ କରି ଯେତେ ବାଣ୍ଟିଲେ ବି
ସମୟର ସୀମିତ ରହଣି ହୋଇପାରେ ଶେଷ
ଶେଷ ହେବନି ଭାଗବଣ୍ଟା ଦବାନବା
ଆଡ଼ରୁଷା, ମୁହମୋଡ଼ା
ଭାଗୀଦାର ସହମତିରେ ଯେତେଯେତେ ଅଦୂରଦର୍ଶିତା ।

ଗଲାକାଲିର କିଛି କଥା
କିଛି ବ୍ୟଥା କିଛି ବିଶ୍ୱସନୀୟତା
ଆଜିର ସମୟ ନିର୍ଘଣ୍ଟରେ ସତର୍କ ଘଣ୍ଟି
ତୁଲାଏ ଉତ୍ତରଦାୟିତ୍ଵ ଦିଏ ଚେତାବନୀ
କ୍ଷତର ମଲମ ହୋଇ ମେଣ୍ଟାଏ କଷଣ
ଉପଲବ୍ଧିର ଜବାବ ସାଜି ସଜାଡ଼େ ବର୍ତ୍ତମାନ ।

ବୋଝରୁ ମୁକୁଳିବାକୁ ଅଣଦେଖା ଦିନସବୁ
ଆଜି କେମିତି ନିଜର ନିଜର ଲାଗେ
ଇଚ୍ଛାହୁଏ ଫେରିବାକୁ
ପଛକୁ ଫେରିବାର ସାଦର ନିମନ୍ତ୍ରଣ ଡାକିନିଏ
ଭେଟିବାକୁ ଗଲାକାଲି ସହ
ଅନ୍ତତଃ ବୁଝେଇ ଦେବ ଏଇ ଭରସାରେ
ଅଙ୍ଗେନିଭା ବର୍ଷିୟାନ ଅନୁଭବ
କେବେ ନିଷ୍ପଳ ହୁଏନି
ଆସନ୍ତାକାଲି ସହ ଆଜିକୁ ଯୋଡ଼ିବାର
ବିଚାର ବିମର୍ଶରେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top