ଏଇ ଆକାଶରେ ସୂର୍ଯ୍ୟଚନ୍ଦ୍ର ତାରା
ଯେତେ ଦିନ ଯାଏ ଥିବ
ଯାହା ହେଉ ପଛେ ମଣିଷ ଅନ୍ତରେ
ପ୍ରେମ ଗଙ୍ଗା ଝରୁଥିବ ।
ଭଲ ପାଇବାରେ କିଛି ଭୁଲ୍ କିଛି
ପ୍ରତାରଣା ରହିଥିବ
ବିରହ ଅଙ୍ଗାରେ ପ୍ରିୟା ନାଆଁ ଲେଖି
କେହି ବି ତ ଝୁରୁଥିବ
ତଥାପି ଅକ୍ଷୟ ଅମର ପ୍ରେମର. . .
ସଙ୍ଗୀତ ଶୁଭୁଥିବ ।
କିଛିଟା କଳଙ୍କ କିଛି ନିନ୍ଦା ଆଉ
ଅପବାଦ ଲାଗିଥିବ
କାହାରି କାହାରି ପ୍ରେମ ପାଇଁ କିଛି
ସ୍ୱାର୍ଥ ବି ରହିଥିବ
ତଥାପି ତ ଏଇ ଦୁନିଆଁରେ ପ୍ରେମ
ଚିର ଅମଳିନ ଥିବ ।
