କବିତା

ପୁନଶ୍ଚ ଆରମ୍ଭ

Manmath Kumar Dalei's odia poem Punascha Aarambha

ଚାଲ ଏବେ ଦୁହେଁ ମିଶି
ପାଦଦେବା ସତ୍ୟ ଏବଂ ଶାନ୍ତିର ଭବ୍ୟ ମନ୍ଦିରରେ
ଯେଉଁଠି ଟୋପାଏ ଲୁହ ବଦଳରେ ମିଳିବ
ଏକ ବିଶାଳ ଅମୃତର ହାଣ୍ଡି,

ପୁନଶ୍ଚ ଆରମ୍ଭ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଯେଉଁଦିନ ତୁମେ
ଗୋଲାପୀ ହସ ହସି ଚାହିଁଦେଲ,
ସେହି ଦିନଠାରୁ ଆରମ୍ଭ ହେଲା
ଏକ ସୁବର୍ଣ୍ଣ ଯୁଗ,
ଯେଉଁ ଯୁଗରେ,
ପକ୍ଷୀଟିଏ ହୋଇ ଉଡିଲି ମୁଁ
ପୂର୍ବାକାଶର ରକ୍ତିମ ଆକାଶେ,
ଫୁଲଟିଏ ହୋଇ ମହକିଲି
ପାରିଜାତ ସମ ବର୍ଣ୍ଣାଢ୍ୟ ଉପବନେ,
ଚାନ୍ଦ ହୋଇ ଜୋଛନା ଢାଳିଲି
ପୂର୍ଣ୍ଣିମାର ପବିତ୍ର ନିଶିରେ ।

ଚାଲ ଏବେ ଦୁହେଁ ମିଶି
ପାଦଦେବା ସତ୍ୟ ଏବଂ ଶାନ୍ତିର ଭବ୍ୟ ମନ୍ଦିରରେ
ଯେଉଁଠି ଟୋପାଏ ଲୁହ ବଦଳରେ ମିଳିବ
ଏକ ବିଶାଳ ଅମୃତର ହାଣ୍ଡି,
ବୁନ୍ଦାଏ ଲହୁ ବଦଳରେ ମିଳିବ
ଖୁସିର ବିସ୍ତୃତ ମହୋଦଧି,
ଦେଖିବ,
ସେଇଠୁ ପୁନଶ୍ଚ ଆରମ୍ଭ ହେବ
ଏକ ସୁନ୍ଦର ପୃଥିବୀ
ଯେଉଁ ପୃଥିବୀରେ
ନ ଥିବ ହସ ପରେ କାନ୍ଦ,
ଭଲ ପରେ ମନ୍ଦ
କି ଦିନ ପରେ ରାତି ।

ତେବେ ଡେରି କାହିଁକି??
ଏଥର ଆସ
ହାତକୁ ହାତରେ ଛନ୍ଦି
ବୋହିଯିବା ନଦୀଟିଏ ପରି
ସମୟର ପ୍ରଶସ୍ତ ଛାତିରେ,
ଦେଖିବ ସେହି ନଦୀ ଉପତ୍ୟକାରେ
ଗଢି ଉଠିବ ଏକ ବଳିଷ୍ଠ ସଭ୍ୟତା,
ଯେଉଁଠି ନା ଥିବ ମାୟାର ବନ୍ଧନ,
କି ମୋହର ଆତୁର କ୍ରନ୍ଦନ,
ପ୍ରବାହିତ ହେଉଥିବ ଖାଲି
ପ୍ରେମର ଶାଶ୍ୱତ ଝରଣା
ଶରୀରର ଶିରା ପ୍ରଶିରାରେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top