ଲକ୍ଷ ଲକ୍ଷ ସୀତା ବନ୍ଦିନୀ ଆଜି, ନିରିମାଖି ଢାଳେ ଲୁହ
ଯୌତୁକ ରାବଣ ଯାତନା ଦିଅଇ ଦିନରାତି ଅହରହ,
କାହା ତଣ୍ଟିଚିପି, ଦଉଡ଼ି ଲଗାଇ କିରୋସିନି ଦିଏ ଢାଳି
ଜୀବନ ବିକଳେ ଚିତ୍କାର କରି ନୂଆବୋହୂ ମରେ ଜଳି,
ଧନ ଦୌଲତ ଜୀବନ ଠୁଁ ବଡ଼, ମଣିଷ ପଣିଆ ମିଛ
ଅସୁର ରାଇଜେ ବଞ୍ଚୁଛୁ ସଭିଏଁ ବିବେକକୁ କରି ତୁଚ୍ଛ,
ବାଜା, ବାଣ ନେଇ ମିଛ ରାବଣକୁ ପୋଡ଼ିଲେ କି ଲାଭ ହେବ ?
ସତ ରାବଣ ତ ବୁଲି ବୁଲି ହସେ, ବିକଟାଳ ଆବଭାବ । (୧)
ରାବଣ ଛପିଛି ମଠ ମନ୍ଦିରେ, ରାମର ଚାଦର ଘୋଡ଼ି
ଭୁଲନା ଭୁଲନା ଛଦ୍ମବେଶେ ତା’ର ନିରୀହା ଅବଳା ନାରୀ,
ଭିକ୍ଷା ତାହାର ନିରର୍ଥକ ହେଉ, ଭିକ୍ଷାମୁଣି ଶୂନ୍ୟ ଖାଲି
ନହୁଅ ନହୁଅ ଲକ୍ଷ୍ମଣ କୁମାର ତିନିରେଖା କେବେ ପାରି,
ଚିତା ଚଇତନ, ନୃତ୍ୟ ସଂକୀର୍ତ୍ତନ ସବୁକିଛି ତା’ର ଜାଲି
ପ୍ରବଚନ ତା’ର ମିଥ୍ୟା ପ୍ରବଞ୍ଚନ, ଥାଅ ମନେ ହେଜ କରି,
ଭଣ୍ଡ ପାଖଣ୍ଡି ଯାଦୁଖେଳ ଦେଖି ନ ଯାଅ ଭରସା କରି ।
ସାବଧାନ ଏହି ରାବଣକୁ ସର୍ବେ ଏ ଯୁଗର ନରନାରୀ । (୨)
ଛଅ ବରଷର ଛୁଆକୁ ହରିଛି, ସଞ୍ଜ ଅନ୍ଧାରେ ଆସି
କାମନା, ବାସନା ଅନ୍ଧ କାମୁକ ରାବଣର ହସ ହସି,
ବାଳୁତ ଛୁଆର ଅନ୍ତ ଫାଡ଼ିଛି, ଫିଙ୍ଗିଛି ରାସ୍ତାର କଡ଼େ
ଘେରିଛନ୍ତି କେତେ ଶ୍ୱାନ, ଶାଦ୍ର୍ଦୁଳ ତାହାର ଜୀଅଁନ୍ତା ମଢେ଼,
ମାଆ ତା’ର କାନ୍ଦେ ଭୂଇଁକୁ ଅଣ୍ଡାଳି, ଦାଣ୍ଡର ଧୂଳିରେ ଗଡ଼ି
ବାପା ମୁଣ୍ଡ ପିଟେ ଦୁଆର ବନ୍ଧରେ ହାଏରେ କପାଳ ବୋଲି
ଶିଶୁର ତଣ୍ଟି ଅସୁର ଚିପିଛି, ନିଗାଡ଼ି ରକ୍ତ ତାରି ।
କିପରି କହୁଛ ରାବଣ ମରିଛି, ହୋଇଛି ରାବଣ ପୋଡ଼ି । (୩)
ରାବଣ ବୁଲିଛି ଦାଣ୍ଡରେ ଘାଟରେ, ରାବଣ ବୁଲୁଛି ସହରେ ବଜାରେ
ରାବଣ ବୁଲୁଛି ଗାଁରେ ଗଣ୍ଡାରେ, ରାବଣ ବୁଲୁଛି ଗଳିରେ କନ୍ଦିରେ,
ରାବଣ ବୁଲୁଛି ରାଜରାସ୍ତାରେ, ରାବଣ ବୁଲୁଛି ଦିନରେ ରାତିରେ
ରାବଣ ବୁଲୁଛି ବେପରୁୱା ହସି, ଛାତିର ବୋତାମ ଖୋଲି ।
ସତ ରାବଣ ତ ଜୀଅନ୍ତା ବୁଲୁଛି, କେଉଁ ରାବଣକୁ କହୁଛ ପୋଡ଼ିଲ ବୋଲି ? (୪)

ଜ୍ୟୋତ୍ସ୍ନା
November 10, 2016 at 5:33 am
Bodhhue aapana windows XP re site access karuchhanti nahele jadi mobile phone re access karuchhanti ta hele aapananka phone unicode text properly render karunaahin.
April 2016 para thun ame unicode re publish kariaasuchhu aau epari complain aasibata prathame aapanankara.
soumya mishra
November 6, 2016 at 10:58 pm
Dear.editor! Lekha ra juktakhyara kahiki aasuni? Dayakari dhyan diantu