ଶାଢୀଟେ ଠିକ୍ ସେ ପିନ୍ଧି ଶିଖିନି ବୋଲି
ସାଇ ପଡିଶାରେ ଖୁଣ୍ଟା
କେମିତି ଚଳାଇବ ଘର, ନୂଆ ବହୁଟା
କେମିତି ସଳଖିବ ଅଣ୍ଟା ?
“ଶିଖିଯିବ, ସମୟ ଆସିଲେ!”-
ଝରି ପଡେ କେତେ ସହାନୁଭୁତି, କେତେ ଆଶ୍ଵାସନା
ସବୁ କୌଶଳ, ସଂସ୍କାର, ମପା ହୁଏ ଶାଢୀ ପିନ୍ଧାରୁ
ପଛରେ ପଡି ଯାଏ ସବୁ ଆଚାର, ବ୍ୟବହାର ଓ ଭାବନା ।
ଶାଢୀଟେ ପିନ୍ଧି ଶିଖିନି ବୋଲି
ମୋହର ବାଜେ ‘ଆଧୁନିକା’
ନିଜେ କଣ ଭାବୁଛି ନିଜକୁ-
ଚୁଡିଦାର, ଜୀନ୍ସ ପ୍ଯାଣ୍ଟ, ସ୍କଟ୍ ଓ ଟପ୍
କଣ ଚଳଚିତ୍ର ର ନାୟିକା ?
ଶାଢୀଟେ ଢଙ୍ଗରେ ପିନ୍ଧି ଶିଖିନି
ପଲ୍ଲୁ ପଡିନି ଭାଙ୍ଗ ହୋଇ
ନା କୁଞ୍ଚ ଠିକ୍ ଜାଗାରେ
ବୋଲାଏ ଭାରି ଗାଉଁଲି
ତା ଦେହରେ ସେ’କି ପାରୁ ନାହାନ୍ତି ଆଖି
ଢାଙ୍କିଛି, ଅବାଞ୍ଛିତ ଦୃଷ୍ଟିରୁ
ନିହାତି ଗୋଟେ ଓଲି ।
ହୋଇ ପାରେ ଶାଢୀ
ଆମ ପରମ୍ପରା ଓ ସଂସ୍କୃତି
ହେଲେ, ନୁହଁ କେବେ ସେ
କାହାର ବ୍ୟକ୍ତିତ୍ବ
ଅବା ଚରିତ୍ରର ମାପକାଠି !