କବିତା

ଶବ୍ଦ ମେଳରେ ମୁଁ

Deepankar Jena's odia poem Shabda Melare Mun

ଶବ୍ଦ ମାନେ କେବେ କେବେ
ରାଗି ଯାଆନ୍ତି, ରୁଷି ଯାଆନ୍ତି
ଅଭିମାନ କରି ମୋ ଠାରୁ
ଦୂରେଇ ଯାଆନ୍ତି

ଶବ୍ଦ ମେଳରେ ମୁଁ

ଶବ୍ଦମାନେ ମୋର ନିହାତି ନିଜର
ଅତି ଆପଣାର
କେବେ ପ୍ରିୟତମ ପୁଣି
କେବେ ପ୍ରିୟତମା
କେବେ ଗୋଟେ ଗଳ୍ପର ନାୟକ
ପୁଣି କେବେ କାବ୍ୟର ନାୟିକା

ଶବ୍ଦମାନେ ଘୁରି ବୁଲନ୍ତି
ମୋ ଅସ୍ତିତ୍ବର ପରିଧି ଭିତରେ
ପୁଣି କେବେ ଇନ୍ଦ୍ରଧନୁର ବର୍ଣ୍ଣଛିଟା
ବିଞ୍ଚି ବିଞ୍ଚି ମୋ ସ୍ଵପ୍ନ ରାଇଜରେ
ବେଳେ ବେଳେ ଅମାନିଆ
ପାହାଡି ଝରଣା
ପୁଣି କେବେ ଦୂର ବିଦେଶୀ ଟେ
ପରି ଅଜଣା ଅଶୁଣା

ଶବ୍ଦ ମାନେ କେବେ କେବେ
ରାଗି ଯାଆନ୍ତି, ରୁଷି ଯାଆନ୍ତି
ଅଭିମାନ କରି ମୋ ଠାରୁ
ଦୂରେଇ ଯାଆନ୍ତି
କ୍ଷତାକ୍ତ,ଯନ୍ତ୍ରଣା ସିକ୍ତ
ହୃଦୟ ରେ ମୁଁ ତାଙ୍କୁ ଖୋଜୁଥାଏ
କଣ୍ଟକିତ ଗୋଲାପ ବନରେ
ସେମାନଙ୍କୁ ମନେଇବାକୁ
ଲାଗିଯାଏ ବର୍ଷ ବର୍ଷ ମାସମାସ
କେବେ ପୁଣି ସାରା ଜୀବନ
ହଜି ଯାଆନ୍ତି ପୁଣି ଥରେ
ନ ମିଳିବା ପାଇଁ

ଶବ୍ଦ ମାନେ କେବେ ପୁଣି
ଗେହ୍ଲେଇ ପ୍ରିୟା ଟେ ପରି
ରହିଥାନ୍ତି ଖୁବ୍ ନିକଟ ରେ
ଘଷି ହେଉଥାନ୍ତି ଦେହରେ ମନରେ
ହେଲେ ଧରା ଦିଅନ୍ତିନି ଏତେ ସହଜରେ
ପିଲାଦିନେ ପ୍ରଜାପତି ଧରିବା ପରି
ଅଣ ନିଶ୍ୱାସୀ ହୋଇ ମୁଁ କିନ୍ତୁ
ଧାଉଁ ଥାଏ , ଧାଉଁ ଥାଏ
କିନ୍ତୁ କେତେ ବେଳେ ଲୁଚି ଲୁଚି
ସେମାନେ ଅଦୃଶ୍ୟ ହୋଇଯାଆନ୍ତି

ପୁଣି କେବେ ଅବେଳ ରେ ହଠାତ୍
ସେମାନଙ୍କ ସହ ମୋର ସାମ୍ନାସାମ୍ନି ହୁଏ
ସେମାନେ ରୁଣ୍ଡ ହୋଇ ଥାଆନ୍ତି
ମୋ ଚିନ୍ତା ଚେତନା ରେ
ମୁଁ ତାଙ୍କୁ ଆବିଷ୍କାର କରେ ମୋ
କଲମ ମୁନରେ ,
ମୁଁ ତାଙ୍କ ସେନାପତି ପାଲଟି ଥାଏ ଆଉ
ସେମାନେ ଅନୁଗାମୀ ସେନା ପରି
ପ୍ୟାରେଡ କରୁଥାନ୍ତି
ମୋ କବିତା ପୃଷ୍ଠାରେ। ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top