କବିତା

ସୂତାଏ ଦୁଃଖ

Brundabana Das's odia poem Sootaae Duhkha

ଯାହାର ପରିଭାଷା
ବ୍ୟସ୍ତ ବିବ୍ରତ ସମୟକୁ ଧରି ରଖିବାର
ଗୋଟେ ଗୋଟେ ବିଫଳ ପ୍ରୟାସ
ଯେଉଁ ଟିକକ ସୁଖ
ତାହା ଦୁଃଖର ଯୋଗ ତାଲିକାରେ
ପୁଣି ଗୋଟେ ବିଶିଷ୍ଟ କ୍ଷୁଦ୍ରାଙ୍କ ।

ସୂତାଏ ଦୁଃଖ

ପାଉଁଶ ତଳେ କେଉଁଠି ନ କେଉଁଠି
ଲୁଚି ରହିଛି ଧାପେ ନିଆଁ
ଯେମିତି ମନ ଭିତରର ଦୁଃଖ
ଉଖାରିଦେଲେ କୁହୁଳି କୁହୁଳି ନିଆଁ
ମନ ତଳ ଅକାତ ଗହୀର ଦୁଃଖ
ଯେବେ ମନ ଆସେ ହୃଦୟ ବିଦାରି
ଅସହ୍ୟ ବହନେ ନିରବ ଘାତକ ସାଜେ ।

କିଛି କଥା କହି ହୁଏ
କିଛି କଥା ଅଛି କହିହୁଏ ନାହିଁ ଘୁଣ ହୋଇ
କେବେ କେବେ ମରାମକୁ ବେଶି କାଟେ
ବିବାକ ସମୟ ପାଖେ
ହାତଗଢ଼ା ପାପ ପୂଣ୍ୟର ମୂକସାକ୍ଷୀ ସାଜି
ସାରା ଅୟୁଷକୁ ବନ୍ଧାରଖେ
ଦୁଃଖ କି ସୁଖ ଅକୁହା ବେଦନାର ପ୍ରତିରୂପ
କରୁଣ କାରୁଣ୍ୟର ଅଙ୍ଗୁଳି ସ୍ପର୍ଶରେ
ବର୍ତ୍ତମାନକୁ ଜୀବନ୍ୟାସ ଦିଅ ।

ଯେଉଁଠି ପାଦ ସେଇଠୁଁ ଆରମ୍ଭ ଅନେକ ରାସ୍ତା
କାହାକୁ ବାଛିବ କେଉଁଠି ଥାପିବ ପାଦ
ଏମିତି ତ ଢିପ ଖାଲ ମୋଡ଼ ଅନେକ
ଯେଉଁ ମୋଡରେ ପଛକୁ ଚାହିଁଲେ
ନା’ ଦିଶୁଥିବ ପଛ ନା’ ଆଗ
ବୋହି ସାରିଥିବ ନେଡ଼ିରୁ ଗୁଡ଼
ସେଇଠୁଁ ଆରମ୍ଭ ହେଉଥିବ ନୂଆ ଏକ ସକାଳ
ଯାହାକୁ ଗଞ୍ଜଣା ଦେଉଥିବ ଗଲାକାଲିର ଅଘଟଣ ।

ଦୁଃଖ ତା ଅନେକ
ଟାକି ବସିଥିବେ ଗିଳିଦେବାକୁ ସୁଖ
ଯାହାର ପରିଭାଷା
ବ୍ୟସ୍ତ ବିବ୍ରତ ସମୟକୁ ଧରି ରଖିବାର
ଗୋଟେ ଗୋଟେ ବିଫଳ ପ୍ରୟାସ
ଯେଉଁ ଟିକକ ସୁଖ
ତାହା ଦୁଃଖର ଯୋଗ ତାଲିକାରେ
ପୁଣି ଗୋଟେ ବିଶିଷ୍ଟ କ୍ଷୁଦ୍ରାଙ୍କ ।

ଏମିତି ଦୁଃଖର କାହାଳି ଭିତରେ
ପାଉଁଶ ତଳର ନିଆଁ ପରି କାହିଁ କାହିଁ
ଅତୀତର ସେଇ ଛୋଟ କଥାଟି
ବଡ଼ ଦୁଃଖ ହୋଇ
କେବେ କେବେ ଚିତା ପରି ଜଳେ
ଦାଉ ଦାଉ କରେ ଶାଣିତ ଚେତନାର
ଦିଗବାରିଣୀ ହୋଇ
ଏବେଠୁଁ ଆସନ୍ତା କେତେ କାଲି ଯାଏଁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top