ଗଣତନ୍ତ୍ର ପଲଙ୍କରେ
ମଖମଲ୍ଲୀ ଶେଜ ପାରି
କେବେ ଠାରୁ …
ଶୋଇ ପଡ଼ିଲାଣି
ସମୟର ଅଜଗର !
ବିଧିବ୍ୟବସ୍ଥାର ସବୁ
ରୁଦ୍ଧଦ୍ୱାର ମେଲି ।
ଲମ୍ବେଇ ଦେଇଛି ତା’ର
ବିଶାଳ ବିକଟାଳ ଦେହଟାକୁ
ଗାଁ ଗଣ୍ଡା ସହର ବଜାରରୁ
ଦେଶ ବିଦେଶ ଯାଏ
ଭୂଇଁରୁ ଭୂମାଯାଏ
ଦିଗଦିଗନ୍ତ ବିସ୍ତାରୀ ।
ଆଁ କରିଦେଲେ ଥରେ
ଏକା ନିଃଶ୍ୱାସକେ ଗିଳି ପକାଉଛି
ଲକ୍ଷ ଲକ୍ଷ କୋଟି କଳା ଟଙ୍କା
ଦିଶିଯାଉଅଛି; ଏ ମହାନ ଦେଶର
ଗଣତନ୍ତ୍ର ଆଇନାରେ ଜକ୍ଜକ୍ ହୋଇ
କେମିତି ଫୁଲି ଉଠୁଅଛି
ବିଦେଶୀ ବ୍ୟାଙ୍କ୍ରେ
କଳା କଳା ଟଙ୍କାର ପେଟ
ଆଉ ! ଭିଡ଼ିମୋଡ଼ି ହୋଇ
କଡ଼ ଲେଉଟାଇ ଦେଲେ
ଟଳି ପଡୁଅଛି …
ଅଚଳ ମହାମେରୁ ପରି ପାହାଡ଼ ପର୍ବତ
ଝର୍ଝର୍ ହୋଇ ଖସି ପଡୁଅଛି
ଲୁହା, ତମ୍ବା, ସୁନା, ଏଲୁମିନା
କଳା ହୀରା ଆଉ ତରଳସୁନା ।
ପୁଣି ନିଶ୍ୱାସ ଛାଡ଼ିଦେଲେ
ଧସି ଯାଉଅଛି
ଖଣି, ଖାଦାନ, ଜଳ, ଜମି
ଜଙ୍ଗଲ, ମୀନ ଆଉ ପାନ
ରାତାରାତି ଛତୁ ଫୁଟିଲା ପରି
ଗଢ଼ି ଉଠୁଅଛି
ମନ୍ତ୍ରୀ, ଏମ୍ଏଲ୍ଏ, ଉଚ୍ଚ ପଦାଧିକାରୀ
ଆଉ ପୁଞ୍ଜିବାସୀ, ବାଦ୍ଶାହୀ
ଘୋଡ଼ା ବେପାରୀଙ୍କ …
କଂକ୍ରିଟ, ମାର୍ବଲ ଆଉ କାଚ ଖଚିତ
କେତେ କେତେ ସ୍ୱପ୍ନର ଇନ୍ଦ୍ରପୁରୀ ।