ଆପଣଙ୍କ ସଠିକ ଠିକଣା କ’ଣ
ଲେମିତି ଜାଣିବି ସୁରଂଜନ ?
ବ୍ୟକ୍ତି ଏକେତ
ଘୁରୁଥାଏ ଅଜସ୍ର ପରିଚୟ
ଦେହର ପରିଧିରେ ।
କେତେବେଳେ ପେଟକରି କି
କେତେବେଳେ ପିଠି କରି
ପରିକ୍ରମାର ଅସ୍ତବ୍ୟସ୍ତ ଗ୍ରହ ମାନେ
ସୂର୍ଯ୍ୟର ଚାରିକଡେ
ଅଭିଆଡ଼ି ଫୁଲର ପରିଚୟ ବଦଳିଯାଏ
ଠାକୁରଙ୍କ ମୁଣ୍ଡରେ ବି
ସଂତ୍ରାସବାଦୀର ପରିଭାଷା
ପାକିସ୍ତାନରେ ଚିହ୍ନାହୁଏ
ସ୍ୱାଧୀନତା ସଂଗ୍ରାମରେ
ସବୁ ବଦମାସ କୁ ସହିନେବା ନିରୀହ ମଣିଷ
ବିପ୍ଳବ କରେ ବଣରେ
ତିଆରିକରେ, ନାଁ – ମାଓବାଦୀ
ଗଣ – ଗଣତନ୍ତ୍ରରେ ।
ବାଦଲର ଠିକଣା
ମୋହର ପରି ଦିଶୁଥାଏ ଆକାଶ ଚିଠିରେ
ଫାଜିଲାମି ଚୁମା ପାହାଡ଼ ଛାତିରେ ।
ପବନର ପରିଚୟ ମିଳିଯାଏ
ଋତୁଙ୍କ ପାହାନ୍ତି ପ୍ରହରେ
ମଣିଷଙ୍କ ଚେହେରା ଲେଖା ହୁଏ
ନାଲି ନେଳି ବ୍ୟକ୍ତିତ୍ୱ
ଅନ୍ଧଙ୍କ ହସ୍ତୀ ଦର୍ଶନ
ପେଟର କାନ୍ଥରେ ତ କାନର କୁଲାରେ
ଗୋଡ଼ର ଖୁଣ୍ଟରେ ଟଙ୍ଗାଯାଏ
ଈଶ୍ୱରଙ୍କ ଠିକଣା ଲାଞ୍ଜ ଦଉଡ଼ିରେ
ସମସ୍ତେ ଗୋଟେ ଗୋଟେ ଧଳା ରଶ୍ମି
ରେକାଏ ଆଲୁଅ ସାତ ଖଣ୍ଡ ହେଉଥାଏ
ପ୍ରିଜିମ ଦେହରେ, ସାତ ଠିକଣାରେ
ସାତଟି ରଙ୍ଗରେ, ଅନେକ ପରିଚିତିରେ ।