ତୁମକୁ ଦେଖିଲେ ମିଠା ଅନୁଭବ
ହୃଦୟରେ ମୋର ଖେଳୁଛି
ଦେହେ ମନେ ମୋର ଅଦିନେ ଫଗୁଣ
ଲୁଚି ଲୁଚି ଛୁଇଁ ଯାଉଛି । (୦)
କେମିତି କହିବି ଏବେ ଏବେ ଖାଲି
ସବୁକିଛି ଭଲ ଲାଗୁଛି
ନିଦାଘରେ ଯେବେ ଅଦିନ ବରଷା
ଦେହକୁ ଶୀତଳ କରୁଛି (୧)
ଫୁଲକୁ ଦେଖିଲେ ରଙ୍ଗର ଅବିର
ମନେ ମୋର ବୋଳି ହେଉଛି
ତୁମକୁ ଛୁଇଁଲେ ଚାଆଉଁ କିନା ମତେ
ସପନ ପରିକା ଲାଗୁଛି (୨)
କେବେ କେଉଁଦିନ ଦେଖା ହୋଇଥିଲା
ଦିନବାର ମନେ ପଡୁନି
ଅଚାନକ ତୁମ ଉପସ୍ଥିତି ଦେଖି
କିଛି ବି ମୁଁ ଭାବିପାରୁନି (୩)
ପଚାରି ପାରୁନି ତୁମ ପରିଚୟ
ପରିଚୟ କେବେ ହୋଇନି
ତୁମେ ବା କାହିଁକି ଜାଣିବ ଏକଥା
ତୁମକୁ ତ କେବେ ଲୋଡ଼ିନି (୪)
ଦିଆନିଆର ଏ ଦୁନିଆଁ ଭିତରେ
ଏକଥା କେ କାହିଁ ଖୋଜିବ
ଖୋଜିବା ପାଇବା ଭିତରେ ଜୀବନ
କେତେବେଳେ ଝଡ଼ି ପଡ଼ିବ (୫)
