ତୁମରି କଥାରେ ମୁଁ
ସୂର୍ଯ୍ୟକୁ ପଛ କରି ଛିଡ଼ା ହେଲି
ଖାସ୍ ତୁମେ
ଲୁଚାଇ ପାରିବ ମୋ ଛାଇରେ
ତୁମ ଦେହକୁ ବୋଲି ।
ତୁମରି କଥାରେ ମୁଁ
ଝରଣାରେ ପାଦ ଧୋଇ
ଠେଙ୍ଗା ପରି ଛିଡ଼ା ହେଲି ପାହାଡ଼ ଛାତିରେ,
ତୁମେ ତୁମ ପାଦକୁ
ମୋ ପାଦ ଉପରେ ଥରେ ଥାପି ଦେବ ବୋଲି ।
ଏମିତି ବି କେତେ କେତେ ଫୁଲ ଛିଣ୍ଡାଇଛି
ତୁମ କୋମଳତା
ତୁମେ ତାହା ସହ ତଉଲିବ ବୋଲି ।
ମୋ କବିତାରେ
ଜହ୍ନକୁ କେତେ ଗାଳି ଦେଇଛି,
ଜହ୍ନକୁ କଳଙ୍କିନୀ କହି
ତୁମକୁ ସୁନ୍ଦରୀ କହିଛି ।
ଥରେ ନୁହେଁ ଅଧେ ନୁହେଁ
ଅନେକ ଥର ଅନେକଙ୍କୁ
ହୀନ କରି ହୀନ ହୋଇଯାଇଛି
ତୁମରି କଥାରେ ।
ଆଜି
ତୁମ ମୋ ଭିତରେ ଦୀର୍ଘ ଦୂରତ୍ୱ,
ସେହି ଦୂରରେ ଥାଇ
ମୁଁ ତୁମକୁ ଇସାରା କରେ,
ଥରେ କେବେ ଲୋଟିଯିବା ପାଇଁ କୁହ
ଏ ଶୁଖିଲା ମାଟିର ଛାତିରେ
ଥୁଣ୍ଟାଗଛ ପରି ଛିଡ଼ା ହେବାର ଯନ୍ତ୍ରଣାରୁ
ମୁଁ ବରଂ ମୁକ୍ତି ପାଇଯିବି
ତୁମରି କଥାରେ ।