ବ୍ୟଙ୍ଗକବିତା

ଗଣେଶ ଶୁଣ୍ଢ ରହସ୍ୟ

Ganesha Shundha Rahasya an odia poem by Bishweswar Majhi

ଏଡିକି ବିଶାଳ ମୂର୍ତ୍ତି ମୋ କରୁଛ
ଦେଖିଲେ ଡରୁଛି ମୁହିଁ
ଥନ୍ତଲ ପେଟକୁ ଦେଖଉଛ ବସି
ଶରମ ଟିକିଏ ନାହିଁ ।

ଗଣେଶ ଶୁଣ୍ଢ ରହସ୍ୟ

ହାଏ ହାଏରେ ହାଏ ହାଏ
ହାଏରେ ହାଏ ହାଏ
ବାତେରା ଛତରା ପୁଜା ମୋ କର
କୁଆଡେ ଆଉ ମୁଁ ଯାଏ !

କଦଳୀ ପତର ଧାନଠୁ ମକ୍କା
ଏକ୍ସପେରିମେଣ୍ଟ୍ କଲ
ରିଭଲଭର୍ ହାତେ ଧରାଇ ଦେଇ
ଆତଙ୍କବାଦି ବି କଲ !

ଏଡିକି ବିଶାଳ ମୂର୍ତ୍ତି ମୋ କରୁଛ
ଦେଖିଲେ ଡରୁଛି ମୁହିଁ
ଥନ୍ତଲ ପେଟକୁ ଦେଖଉଛ ବସି
ଶରମ ଟିକିଏ ନାହିଁ ।

ଆନ୍ଧ୍ରା କଦଳୀ ୱାକ୍ସ ଆପେଲ୍
ବଜାରରୁ କିଣି ନେଇ
ରାଶିଲଡୁ ଗୋଟେ ଉଖୁଡା ଟିକେ
ମୋ ହାତେ ଧରାଇ ଦେଇ ।

ଭସାଣି ଦିନ ଯୋଜନା କଲ
ଲଗାଇ ଦେଲ ଡିଜେ
ଟ୍ରାକ୍ଟର ଡାଲାରେ ବସାଇ ମତେ
ଦେହ ମୁଣ୍ଡ ମୋ ସିଝେ ।

ହାତ ଗୋଡକୁ ଭିଡି ବାନ୍ଧିଲ
ମେଢଟା ଖୋଲି ଦେଲ
ପଛପଟେ ମୋ କୁଟା ଦିଶୁଛି
କଚି କଚିକା ନେଲ ।

ନାଗିନ୍ ନାଚରେ ଗଡୁଛ ରାସ୍ତାରେ
ପିଇଛ କିରେ ଭାଙ୍ଗ
ଡିଜେ ସାଉଣ୍ଡ୍ କାନ ଫଟାଏ
ଥରଇ ମୋର ସର୍ବାଙ୍ଗ ।

ବ୍ରିଜ୍ ଉପରେ ରଖିଲ ନେଇ
ବିସର୍ଜନ ମୋର କଲ
ଟ୍ରାକ୍ଟର ଡାଲାରୁ ଉଠେଇ ନେଲ
ପାଣିରେ କଚି ଦେଲ ।

ଗଣପତି ବାପା ମୋରିଆ ଡାକଟା
ମରିଯା ଭଳିଆ ସୁଭେ
ବାଳୁଙ୍ଗା ତମକୁ ପାନେ ଦେବି ବୋଲି
ଫି ବରଷ ମୁଁ ଭାବେ ।

ବାପା କହି କହି ଯଦି ଛତରା ଟୋକା
ଏତେ ଯାତନା ଦେଲ
ନିଜ ବାପାକୁ ଛାଡୁନ ତମେ
କରନ୍ତ କି ମତେ ଗେଲ !!

ଫି ବରଷ କାନ୍ଦିଲି ଯେତେ
ଓଠ ନମ୍ବେଇ ଦେଇ
ବଢି ଚାଲିଲା ଓଠ ମୋହର
ଶୁଣ୍ଢଟି ପରି ଦିସଇ।

ହାତି ଶୁଣ୍ଢ ମୋର ଲାଗିଛି କହୁଛ
ତ୍ରିଶୁଳେ ବେକ କଟି
ଓଠ ମୋହର ଲମ୍ବି ଗଲା ପରେ
ଖୋଲୁନି ଆଉ ପାଟି ।

ମାସେ ପରେ ମୋ ବାପା ମା’ଙ୍କୁ
ସମଦଶା ତମେ ଦବ
ନିଜ ବାପା ମା ଛାଡୁନ ବାଳୁଙ୍ଗା
ଆମ ଦୁଃଖ କି ବୁଝିବ !!

କାଳୀ ପୂଜା କର ମୋ ମା’ର
ଶାଢୀ କି ବ୍ଲାଉଜ୍ ନାହିଁ
ଶିବ ବଉଂଶ ଗରିବ ବୋଲି
ଦୟା ତମର ନାହିଁ !!

କାର୍ତିକ ମାସକୁ ଭାଇକୁ ମୋର
ସେଇଆ ତମେ କରିବ
ଆମ ନାଆଁରେ ନାଲି ଆଖିରେ
ଚାନ୍ଦାଟି ଚନ୍ଦେଇବ ।

ଅକରମା ଦାନୀ ବାପା ମୋହର
ମା’ ମୋ ସ୍ୱୟଂ ଶକତି
ଦାଦାଚାନ୍ଦାରେ ଚାନ୍ଦି ମେଢ କର
ଦେଖାଅ ମିଛ ଭକତି !!

ଜାଣିନ ତମେ ଆମ ବଉଁଶ
ଯେତିକି ଶାନ୍ତ ଶିଷ୍ଟ
ରାଗିଲେ ଥରେ କିଏ ସମ୍ଭାଳିବ
ଭାବିଛ କିରେ ଛୋଟ !!

ବାପାଙ୍କୁ କହିବି ରାଗିକି ଥରେ
କରିବେ ତାଣ୍ଡବ ନାଚ
କୁଳାଙ୍ଗାର ତମେ ଶିଖିବ ବୁଦ୍ଧି
ପାଇବ ତେବେ କେଞ୍ଚ !

ସୁନାମି କ୍ୟାଟ୍ରିନା ମାଡି ଆସିବ
ଭୂମିକମ୍ପ ନଦୀବଢି
ତା ତା ଥେଇ ତମେ ନାଟ କରିବ
ଖାଉଥିବି ବସି (ବାରିପଦା) ମୁଢି ।

ଯେତେ ଡାକିଲେ ଜମା ଶୁଣିବିନି
ପାଣିରେ ବୁଡେଇ ଦେବି
ଜାଣିବ ମୋର ପାୱାର କେତେ
ପାନେ ଚଖେଇ ଦେବି ।

ବୁଦ୍ଧି ଅଛି ଯଦି ସୁଧୁରି ଯାଅ
ଭକତି ଆଣ ପୂଜାରେ
ପାର୍ବଣ ଋତୁ ନିର୍ବାଣ ପାଇଁ
ପରିବର୍ତନ ଆଣରେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top